*ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ* ।
ଗଜପତି,୬.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ,ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ. ଗିରିଧାରୀ, ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମ ପ୍ରସାଦ , ଗୋସାଣୀ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଟି.କିଶୋର କୁମାର ଓ ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାସ ପ୍ରମୁଖ ଯୋଗ ଦେଇଥିଲେ।ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଜଣେ ସୁନାଗରିକ ହେବା ସହ ଦେଶ ଗଠନରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଓ ଦକ୍ଷତାର ବିକାଶ ପାଇଁ ଏକ ଉତ୍ତମ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଥିଲେ। କୌଣସି ସଙ୍କୋଚ କିମ୍ବା ଭୟ ନକରି ଆତ୍ମବିଶ୍ୱାସର ସହ ପ୍ରତିଯୋଗିତାରେ ଭାଗନେଇ ଆଗକୁ ବଢ଼ିବାକୁ ସେ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ।ଚଳିତ ବର୍ଷ ଜିଲ୍ଲାର ସାତଟି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଏହି ମହୋତ୍ସବରେ ଯୋଗଦେଇଥିଲେ।
ଏଥିରେ ତର୍କ, ପ୍ରବନ୍ଧ, କୁଇଜ୍, ସୃଜନାତ୍ମକ ଲେଖନୀ, ଚିତ୍ରାଙ୍କନ, ସଙ୍ଗୀତ ଓ ସାଂସ୍କୃତିକ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।
