ଖତଗଦା ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର।ମାତୃତ୍ୱକୁ ନେଇ ଉଠିଲା ଅନେକ ପ୍ରଶ୍ନ, ପୋଲିସ ଉଦ୍ଧାର କରି CWCକୁ କଲା ହସ୍ତାନ୍ତର ।
ବରଗଡ ୩,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ଗ୍ରାମ ତଳିପଡ଼ାର ଏକ ଖତଗଦା ନିକଟ ବୁଦା ମୂଳରୁ ଆଜି ଭୋର ପ୍ରାୟ ୫ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁଟିର ନାଭିନାଡ଼ ଲାଗି ରହିଥିବା ସହ ଶରୀରରେ ରକ୍ତ ଲାଗିଥିବାରୁ ତା’ର ଜନ୍ମ କିଛି ସମୟ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି।ସୂଚନା ଅନୁଯାୟୀ, ଗ୍ରାମବାସୀ ଶିଶୁଟିକୁ ପଡ଼ିଥିବା ଦେଖିବା ପରେ ସନ୍ତୋଷିନୀ ମହାଳିଙ୍ଗ, ସ୍ୱାମୀ ପଞ୍ଚମ ମହାଳିଙ୍ଗ, ତାକୁ ବୁଦା ମୂଳରୁ ଉଦ୍ଧାର କରି ଅତାବିରା ନେଇ ଚିକିତ୍ସା କରାଇଥିଲେ। ତାଙ୍କର କୌଣସି ସନ୍ତାନ ନଥିବାରୁ ଶିଶୁଟିର ଲାଳନପାଳନ ଦାୟିତ୍ୱ ନେବା ସହ ନିଜ ପାଖରେ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ।ଘଟଣା ସମ୍ପର୍କରେ ଖବର ପାଇ ବରଗଡ଼ ଡିସିପିଓ ମଞ୍ଜୁ ଏକ୍କାଙ୍କ ନିର୍ଦ୍ଦେଶକ୍ରମେ ସିଡିପିଓ ଲକ୍ଷ୍ମୀପ୍ରିୟା ମିଶ୍ର, ସେକ୍ଟର ସୁପରଭାଇଜର ପଙ୍କଜିନୀ ବିଶ୍ୱାଳ ଓ ଜ୍ୟୋତି ହିଆଲ, ଡିସିପିଓ କାର୍ଯ୍ୟାଳୟର ବବିତା ରାଉତ, ଜୟନ୍ତୀ ହିଆଲ, ଆଶାକର୍ମୀ ନୀଳିମା ମହାନନ୍ଦ ଏବଂ ଚାଇଲ୍ଡ ହେଲ୍ପଲାଇନ୍ର ଲଳିତ ମୋହନ ପ୍ରଧାନ ଓ ଆକାଶ ପ୍ରଧାନ ପ୍ରମୁଖ ଗ୍ରାମରେ ପହଞ୍ଚିଥିଲେ।ଶିଶୁଟିକୁ ନିଜ ଅଧୀନକୁ ନେବା ପାଇଁ ଶିଶୁ ସୁରକ୍ଷା ଟିମ୍ ଉଦ୍ୟମ କରିଥିବାବେଳେ ଗ୍ରାମବାସୀ ଶିଶୁଟିକୁ ଅନ୍ୟ କାହାକୁ ଦେବାକୁ ରାଜି ହୋଇନଥିଲେ। ପରେ ଭେଡେନ ପୋଲିସ ଓଆଇସି ସୁରେଶ ଓରାଙ୍ଗ ଓ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ କୁଂ ବୁଝାମଣା କରି ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଶିଶୁ କଲ୍ୟାଣ ସମିତି (CWC)କୁ ହସ୍ତାନ୍ତର କରିଥିଲା।
ଏହି ସମୟରେ ସଂକ୍ରିଡା ପଞ୍ଚାୟତ ସମିତି ସଭ୍ୟ ଚାଷୀଗିରି ନଈ, ସଂକ୍ରିଡା ସରପଞ୍ଚ ପ୍ରତିନିଧି ସନା ସେଠ ଝରାପାଲି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଶେଷରେ ନବଜାତ ଶିଶୁର ସୁରକ୍ଷା ଓ ଉପଯୁକ୍ତ ଯତ୍ନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ ।
