*ପାରଳାଖେମୁଣ୍ଡିରେ ‘ଗୋ-ସମ୍ମାନ ଆହ୍ୱାନ ଅଭିଯାନ’, ଯୋଗଦେଲେ ବହୁ ସାଧୁସନ୍ଥ ଓ ସଂଗଠନର କର୍ମକର୍ତ୍ତା* ।ଗଜପତି,୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣ ନିମନ୍ତେ ସମାଜରେ ଜନଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ବଡ଼ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ‘ଗୋ-ସମ୍ମାନ ଆହ୍ୱାନ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନରେ ପୂଜ୍ୟ ଶ୍ରୀ ଅମୃତାନନ୍ଦ ଗିରି ମହାରାଜ, ପୂଜ୍ୟ ଶ୍ରୀ କ୍ରାନ୍ତି ସ୍ୱରୂପାନନ୍ଦ ଗିରି ମହାରାଜ ଏବଂ କେନ୍ଦ୍ରୀୟ ନନ୍ଦୀ ବାବାଙ୍କ ସମେତ ବହୁ ସାଧୁସନ୍ଥ ଯୋଗ ଦେଇଥିଲେ। ଏଥିସହ ବିଭିନ୍ନ ହିନ୍ଦୁ ସଂଗଠନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି ଅଭିଯାନକୁ ସମର୍ଥନ ଜଣାଇଥିଲେ।କାର୍ଯ୍ୟକ୍ରମରେ ଗୋ-ସମ୍ମାନ ଆହ୍ୱାନ ଅଭିଯାନର ସମ୍ଭାଗ ପ୍ରଭାରୀ ଶ୍ରୀ କୈଳାଶ ଚନ୍ଦ୍ର ଗୌଡ଼, ଗଜପତି ଜିଲ୍ଲା ସନ୍ଥ ସମିତିର ସନ୍ଥ ସତ୍ୟନାରାୟଣ ଦାସ ମହାରାଜ, ଅଭିଯାନର ଜିଲ୍ଲା ପ୍ରଭାରୀ ଶ୍ରୀ ଗିନ୍ନି କୁର୍ମା ରେଡ୍ଡୀ, ଜିଲ୍ଲା ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଏବଂ ଗୋ-ସେବା ଓ ସମ୍ବର୍ଦ୍ଧନା ପ୍ରମୁଖ ଶ୍ରୀ ମନୋଜ କୁମାର ଦାଶଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ, ଗଜପତି ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।ଏହି ଅବସରରେ ବକ୍ତାମାନେ ଗୋମାତାଙ୍କ ସୁରକ୍ଷା, ସମ୍ମାନ ଓ ସଂରକ୍ଷଣକୁ ସମାଜର ଏକ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଗୋ-ସମ୍ମାନ, ଗୋ-ସେବା ଓ ଗୋ-ସୁରକ୍ଷାର ମହତ୍ତ୍ୱ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବା ସହ ଏ ଦିଗରେ ଜନସଚେତନତା ବୃଦ୍ଧି ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ଏଥିସହ ଆସନ୍ତା ୧୭ ଡିସେମ୍ବର ୨୦୨୬ ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ଗୋ-ସମ୍ମାନ ଆହ୍ୱାନ ଅଭିଯାନର ପରବର୍ତ୍ତୀ ବୃହତ୍ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅଭିଯାନକୁ ଜିଲ୍ଲା ଓ ରାଜ୍ୟସ୍ତରରେ ଅଧିକ ବ୍ୟାପକ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରିବା ନିମନ୍ତେ ଆହ୍ୱାନ ଦିଆଯାଇଥିଲା।
ପାରଳାଖେମୁଣ୍ଡିରେ ‘ଗୋ-ସମ୍ମାନ ଆହ୍ୱାନ ଅଭିଯାନ’, ଯୋଗଦେଲେ ବହୁ ସାଧୁସନ୍ଥ ଓ ସଂଗଠନର କର୍ମକର୍ତ୍ତା* ।
