*ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଙ୍କଟ ଜାରି, ୧୯ ବଦଳରେ ନିଯୁକ୍ତି ପାଇଲେ ୧୬ ଡାକ୍ତର ।
ଗଜପତି,୧୬.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ଓ ଡାକ୍ତର ଅଭାବ ଦୂର କରିବା ପାଇଁ ୧୯ ଜଣ ଡାକ୍ତରଙ୍କ ନିଯୁକ୍ତି ନେଇ ଆଶା ସଞ୍ଚାର ହୋଇଥିବା ବେଳେ ଏହି ସଂଖ୍ୟା ହ୍ରାସ ପାଇ ୧୬ରେ ପହଞ୍ଚିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପାଥୋଲୋଜି, ଆନାସ୍ଥେସିଓଲୋଜି ଓ ଶିଶୁରୋଗ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଛି।
ଫଳରେ ଜିଲ୍ଲାବାସୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଏବେ ଏକ ବଡ଼ ଆହ୍ୱାନ ହୋଇଛି।ପୂର୍ବରୁ ୧୯ ଜଣ ଡାକ୍ତରଙ୍କ ନିଯୁକ୍ତି ନେଇ ଘୋଷଣା ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇଜଣ ଉଚ୍ଚତର ଶିକ୍ଷା ବା ପିଜି ପାଠ୍ୟକ୍ରମ ଅଧ୍ୟୟନ କରୁଥିବାରୁ ଏବଂ ଅନ୍ୟ ଜଣେ ଡାକ୍ତର ଯୋଗଦାନ କରିନଥିବାରୁ ବାସ୍ତବରେ ୧୬ ଜଣ ଡାକ୍ତର ନିଯୁକ୍ତି ପ୍ରକ୍ରିୟାରେ ଉପଲବ୍ଧ ହୋଇଥିବା ସୂଚନା ମିଳିଛି। ଏହି ୧୬ ଜଣଙ୍କ ମଧ୍ୟରୁ ଦୁଇଜଣ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଗ ଦେଉଥିବା ବେଳେ ଅବଶିଷ୍ଟ ୧୪ ଜଣ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେବା ପାଇଁ ସ୍ଥିର ହୋଇଥିବା ଜଣାପଡିଛି।ତେବେ ଡାକ୍ତର ନିଯୁକ୍ତି ସତ୍ତ୍ୱେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର ହୋଇନାହିଁ।
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ଅନୁଯାୟୀ, ପାଥୋଲୋଜି, ଆନାସ୍ଥେସିଓଲୋଜି ଓ ଶିଶୁରୋଗ ବିଭାଗରେ ବିଶେଷଜ୍ଞ ଡାକ୍ତର ଉପଲବ୍ଧ ନାହାନ୍ତି। ଏହି ଅଭାବ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।ବର୍ତ୍ତମାନ ମଧ୍ୟ ଗଜପତି ଜିଲ୍ଲାର ଅନେକ ରୋଗୀ ଉନ୍ନତ ଚିକିତ୍ସା ପାଇଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ,ବିଶାଖାପାଟଣା ଓ ବ୍ରହ୍ମପୁର ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ରୋଗୀ ଓ ସେମାନଙ୍କ ପରିବାରକୁ ଦୂରଦୂରାନ୍ତକୁ ଯାତ୍ରା କରିବା ସହ ଅତିରିକ୍ତ ଖର୍ଚ୍ଚ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।ଏଭଳି ପରିସ୍ଥିତିରେ ଡାକ୍ତର ନିଯୁକ୍ତି ସଂକ୍ରାନ୍ତ ଘୋଷଣାକୁ ବାସ୍ତବ ସ୍ୱାସ୍ଥ୍ୟସେବାରେ ପରିଣତ କରିବା ସହ ଖାଲି ପଡ଼ିଥିବା ଡାକ୍ତର ଓ ବିଶେଷଜ୍ଞ ପଦବୀଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବା ପାଇଁ ଜନସାଧାରଣ ଦାବି ଜଣାଇଛନ୍ତି।
ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କର ଉପଲବ୍ଧତା ସହ ଏକ ସୁସଂଗଠିତ ଯୋଜନା ପ୍ରସ୍ତୁତ କରାଗଲେ ଗଜପତି ଜିଲ୍ଲାବାସୀଙ୍କୁ ନିଜ ଅଞ୍ଚଳରେ ଉନ୍ନତ ଓ ଗୁଣାତ୍ମକ ଚିକିତ୍ସା ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିବ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି।
