*ୱୁମେନ୍ ଏଣ୍ଟରପ୍ରିନରସିପ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬: ସମ୍ମାନିତ ହେଲେ ‘ସୃଜନିକା’ର ୧୨ ସଫଳ ମହିଳା ଉଦ୍ୟମୀ*
ବ୍ରହ୍ମପୁର, ୨୬.୦୯.୨୦୨୬: ନିଜର ନିଷ୍ଠା ଓ ପରିଶ୍ରମ ବଳରେ ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଦକ୍ଷିଣ ଓଡ଼ିଶାର ମହିଳା। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ର ସହାୟତାରେ ପରିଚାଳିତ ‘ସୃଜନିକା’ ସହ ଜଡ଼ିତ ୧୨ ଜଣ ସଫଳ ମହିଳା ଉଦ୍ୟମୀଙ୍କୁ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ପକ୍ଷରୁ ‘ୱୁମେନ୍ ଏଣ୍ଟରପ୍ରିନରସିପ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬’ ଅବସରରେ ‘ଉଦ୍ୟମୀ ଅଫ୍ ଦି ଇୟର’ ଭାବେ ସମ୍ମାନିତ କରାଯାଇଛି।ବ୍ରହ୍ମପୁରର ସ୍ୱସ୍ତିକ୍ ହୋଟେଲଠାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୨ ଜଣ ମହିଳାଙ୍କୁ ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି, ନେତୃତ୍ୱ ଏବଂ ଗୋଷ୍ଠୀଗତ ବିକାଶ କ୍ଷେତ୍ରରେ ଅବଦାନ ପାଇଁ ସମ୍ମାନିତ କରାଯାଇଛି।ଏହି ସମାରୋହରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଉଦ୍ୟମୀଙ୍କୁ ପୁରସ୍କୃତ କରିଥିଲେ। ଗ୍ରାମାଞ୍ଚଳ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ କରୁଥିବା କାର୍ଯ୍ୟକୁ ସାଂସଦ ଡ. ପାଣିଗ୍ରାହୀ ପ୍ରଶଂସା କରିଥିଲେ।ପୁରସ୍କୃତ ହୋଇଥିବା ୧୨ ଜଣ ମହିଳା ହେଉଛନ୍ତି- ସୁମିତ୍ରା ଗୌଡ଼, ଏମ୍. ଦେବଲକ୍ଷ୍ମୀ, ଏନ୍. ଦମୟନ୍ତୀ ରେଡ୍ଡୀ, ଚୁମକି ଚୌଧୁରୀ, ସୁକାନ୍ତି ଦାସ, ଅର୍ଚ୍ଚନା ଗୌଡ଼, ଜୟନ୍ତୀ ଦାସ, ମନୀଷା ଦାସ, ସ୍ୱପ୍ନା ବେହେରା, ଲକ୍ଷ୍ମୀ ରେଡ୍ଡୀ, ଝିଲି ଦାସ ଏବଂ ରଞ୍ଜିତା ବେହେରା। ଏହି ମହିଳା ଉଦ୍ୟମିମାନେ କ୍ୟାଟରିଂ, କୁକୁଡ଼ା ପାଳନ, କ୍ଷୁଦ୍ର ବ୍ୟବସାୟ, ପୋଷାକ ତିଆରି, ହସ୍ତଶିଳ୍ପ ଏବଂ ପାରମ୍ପରିକ ଆଦିବାସୀ କଳାର ପ୍ରସାର ଭଳି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି।ଗୋପାଳପୁରରେ ଆରମ୍ଭ ହୋଇଥିବା ‘ସୃଜନିକା’ କେବଳ ମହିଳାମାନଙ୍କୁ ରୋଜଗାରର ପନ୍ଥା ଦେଖାଇନାହିଁ, ବରଂ ଓଡ଼ିଶାର ପାରମ୍ପରିକ ଓ ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ଏକ ବଡ଼ ମାଧ୍ୟମ ପାଲଟିଛି। ଗୋଟିଏ ଛୋଟ ସ୍ୱୟଂ ସହାୟକ ଗୋଷ୍ଠୀରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ସଂଗଠିତ ବ୍ୟବସାୟିକ ରୂପ ନେଇଛି। ଏଠାରେ ମହିଳାମାନେ ପାରମ୍ପରିକ ଆଦିବାସୀ କଳା, ପୋଷାକ ସିଲେଇ, ହସ୍ତଶିଳ୍ପ, ହାତବୁଣା ବ୍ୟାଗ୍, କର୍ପୋରେଟ୍ ଗିଫ୍ଟିଂ ଏବଂ ବଜାର ସଂଯୋଗୀକରଣ ଭଳି କାମ ସଫଳତାର ସହ ପରିଚାଳନା କରୁଛନ୍ତି।ଏହି ମହିଳାମାନେ ଏବେ ଜିନିଷର ଗୁଣବତ୍ତା ପରୀକ୍ଷା, ମୂଲ୍ୟ ନିର୍ଦ୍ଧାରଣ, ପ୍ୟାକେଜିଂ, ଗ୍ରାହକଙ୍କ ସହ କଥାବାର୍ତ୍ତା ଏବଂ ବଡ଼ ବଡ଼ ସଂସ୍ଥାରୁ ଅର୍ଡର ନେବା ଭଳି ସମସ୍ତ କାର୍ଯ୍ୟ ନିଜେ କରୁଛନ୍ତି।ସୃଜନିକାର ମହିଳାମାନେ ଓଡ଼ିଶା ପୋଲିସ୍, ଭାରତୀୟ ନୌସେନା ଏବଂ ଭାରତୀୟ ସେନା ପାଇଁ ସିଲେଇ ଓ ପୋଷାକ ଯୋଗାଣ କାମ କରି ନିଜର ଦକ୍ଷତା ଦେଖାଇସାରିଛନ୍ତି। ଏହାସହିତ ‘କାଲା ଘୋଡ଼ା ଆର୍ଟସ ଫେଷ୍ଟିଭାଲ୍’, ‘ସମ୍ବାଦ’ ଏବଂ ‘ପଲ୍ଲୀଶ୍ରୀ ମେଳା’ ଭଳି ଜାତୀୟ ସ୍ତରର ପ୍ରଦର୍ଶନୀରେ ସୌରା, ଜୁଆଙ୍ଗ, ଗୋଣ୍ଡ ଓ ପଟ୍ଟଚିତ୍ର ଭଳି ଓଡ଼ିଶାର ସମୃଦ୍ଧ କଳାକୁ ଲୋକଲୋଚନକୁ ଆଣିପାରିଛନ୍ତି।ସବୁଠାରୁ ଗୌରବର ବିଷୟ ହେଉଛି, ସୃଜନିକାର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଆଦିବାସୀ କଳାକୃତି ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଦିଆଯାଇଛି। ‘ୱୁମେନ୍ ଏଣ୍ଟରପ୍ରିନରସିପ୍ ଏକ୍ସଲେନ୍ସ ଆୱାର୍ଡ ୨୦୨୬’ର ଏହି ସଫଳତା ପ୍ରମାଣ କରୁଛି ଯେ, ସଠିକ୍ ସହଯୋଗ ଓ ବଜାର ସୁଯୋଗ ମିଳିଲେ ଗ୍ରାମାଞ୍ଚଳର ମହିଳାମାନେ ସଂସ୍କୃତିକୁ ବଞ୍ଚାଇ ରଖିବା ସହ ଜଣେ ଜଣେ ସଫଳ ଉଦ୍ୟମୀ ହୋଇପାରିବେ।
