*ପାର୍ବଣ ଋତୁରେ ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍**
ବ୍ରହ୍ମପୁର, ସେପ୍ଟେମ୍ବର, ୨୦୨୬:* ପାର୍ବଣ ଋତୁ ଆସୁଥିବା ବେଳେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ଦକ୍ଷିଣ ଓଡ଼ିଶାର ସମସ୍ତ ପୂଜା କମିଟି, ଆୟୋଜକ, ବ୍ୟବସାୟୀ, ଅଭିଭାବକ ଏବଂ ସାଧାରଣ ନାଗରିକଙ୍କୁ ପୂଜା ଓ ପାର୍ବଣ ସମୟରେ ବିଦ୍ୟୁତ ଶକ୍ତିର ସୁରକ୍ଷିତ ବ୍ୟବହାର ସହିତ ଆବଶ୍ୟକ ବିଦ୍ୟୁତ ସୁରକ୍ଷା ନିୟମ ପାଳନ କରିବାକୁ ଅନୁରୋଧ କରିଛି। ପୂଜା ସମୟରେ ଅସ୍ଥାୟୀ ପୂଜା ମଣ୍ଡପ, ସାଜସଜ୍ଜା, ଷ୍ଟଲ ଏବଂ ବହୁ ସଂଖ୍ୟକ ଲୋକଙ୍କ ସମାଗମ ବଢ଼ିଥାଏ। ତେଣୁ ବିଦ୍ୟୁତ ଦୁର୍ଘଟଣାକୁ ଏଡ଼ାଇବା ଏବଂ ନିର୍ବିଘ୍ନରେ ଉତ୍ସବ ପାଳନ ପାଇଁ ଶିଶୁଙ୍କ ସମେତ ସମସ୍ତଙ୍କୁ ସତର୍କ ରହିବା ଓ ନିର୍ଦ୍ଧାରିତ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କମ୍ପାନୀ ପରାମର୍ଶ ଦେଇଛି ।ଟିପିଏସ୍ଓଡିଏଲ୍ ପୂଜା କମିଟି ଏବଂ ଆୟୋଜକମାନଙ୍କୁ ନିକଟସ୍ଥ ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟରୁ ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବାକୁ ଏବଂ ବେଆଇନ ଭାବେ ହୁକିଂ କରି କିମ୍ବା ଅନୁମତି ବିନା ବିଦ୍ୟୁତ ସଂଯୋଗ ନ ନେବାକୁ ସତର୍କ କରାଇଛି । ଏଭଳି କାର୍ଯ୍ୟ ଦ୍ୱାରା ସର୍ଟ ସର୍କିଟ୍, ବିଦ୍ୟୁତ ଜନିତ ଅଗ୍ନିକାଣ୍ଡ, ଟ୍ରାନ୍ସଫର୍ମର ଉପରେ ଅତ୍ୟଧିକ ଚାପ ପଡ଼ିବା ସହିତ ଜୀବନ ଓ ସମ୍ପତ୍ତି ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ। ପୂଜା ମଣ୍ଡପରେ ବିଦ୍ୟୁତ ସଂଯୋଗ ଓ ଅନ୍ୟାନ୍ୟ ବିଦ୍ୟୁତ କାର୍ଯ୍ୟ ପାଇଁ ଯୋଗ୍ୟ ତଥା ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନ୍ଙ୍କ ସେବା ନେବାକୁ ଏବଂ ୱାୟାରିଂ, ସଂଯୋଗ ଓ ବୈଦ୍ୟୁତିକ ଉପକରଣଗୁଡ଼ିକୁ ଠିକ୍ ଭାବରେ ସ୍ଥାପନ ଓ ରକ୍ଷଣାବେକ୍ଷଣ କରିବାକୁ ଆୟୋଜକମାନଙ୍କୁ ପରାମର୍ଶ ଦିଆଯାଇଛି।କମ୍ପାନୀ ପୂଜା କମିଟିଗୁଡ଼ିକୁ ଉପଯୁକ୍ତ ଆର୍ଥିଂ ଓ ଆବଶ୍ୟକ ସୁରକ୍ଷା ଉପକରଣ ବ୍ୟବହାର କରିବା, ଢିଲା କିମ୍ବା କ୍ଷତିଗ୍ରସ୍ତ ତାର ବ୍ୟବହାର ନ କରିବା ଏବଂ ସକେଟ୍ରେ ଅତ୍ୟଧିକ ଲୋଡ୍ ନ ଦେବାକୁ ପରାମର୍ଶ ଦେଇଛି। ଏଥିସହିତ ନିମ୍ନମାନର ବିଦ୍ୟୁତ ଉପକରଣ ବ୍ୟବହାରରୁ ମଧ୍ୟ ଦୂରେଇ ରହିବାକୁ କୁହାଯାଇଛି। ସାଜସଜ୍ଜାରେ ବ୍ୟବହୃତ ଆଲୋକ, ବିଦ୍ୟୁତ ତାର ଓ ଉପକରଣଠାରୁ ସୁରକ୍ଷିତ ଦୂରତାରେ ଲଗାଇବା ଏବଂ ବିଜୁଳି ଖୁଣ୍ଟ ଟ୍ରାନ୍ସଫର୍ମର କୁ ସାଜସଜ୍ଜାରେ ବ୍ୟବହାର ନ କରିବାକୁ କୁହାଯାଇଛି । କମ୍ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଏଲଇଡି ଆଲୋକ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।ସେହିଭଳି ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର, ସବ୍ଷ୍ଟେସନ୍ ଏବଂ ବିଦ୍ୟୁତ ତାରଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ କୁହାଯାଇଛି। ବିଶେଷକରି ଶୋଭାଯାତ୍ରା ଓ ମୂର୍ତ୍ତି ବିସର୍ଜନ ସମୟରେ ଅଧିକ ସତର୍କ ରହିବା ଆବଶ୍ୟକ। ଅଭିଭାବକ ଓ ଅଭିଭାବିକାମାନେ ଯେପରି ଶିଶୁମାନେ ବିଦ୍ୟୁତ ଉପକରଣ, ଖୋଲା ତାର, ଟ୍ରାନ୍ସଫର୍ମର କିମ୍ବା ପୂଜା ସ୍ଥାନରେ ହୋଇଥିବା ଅସ୍ଥାୟୀ ବିଦ୍ୟୁତ ବ୍ୟବସ୍ଥା ନିକଟକୁ ନ ଯାଆନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ମଣ୍ଡପ ସାଜସଜ୍ଜା, ବ୍ୟାନର, ପତାକା, ବାଉଁଶରେ ନିର୍ମିତ ଢାଞ୍ଚା ଏବଂ ଧାତୁର ସାମଗ୍ରୀ ଯେପରି ବିଦ୍ୟୁତ ଉପକରଣ କିମ୍ବା ବିଦ୍ୟୁତ ତାର ସହ ସଂସ୍ପର୍ଶରେ ନ ଆସେ, ସେଥିପ୍ରତି ମଧ୍ୟ ସତର୍କ ରହିବା ଆବଶ୍ୟକ। ବିଦ୍ୟୁତ ଭିତ୍ତିଭୂମି ନିକଟରେ ପୂଜା ମଣ୍ଡପ କିମ୍ବା ଅସ୍ଥାୟୀ ପୂଜା ମଣ୍ଡପ, ଦୋକାନ ନିର୍ମାଣ ସମୟରେ ଆୟୋଜକମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ସିଇଓ, ଟିପିଏସ୍ଓଡିଏଲ୍, କହିଛନ୍ତି, “ପାର୍ବଣ ହେଉଛି ଆନନ୍ଦ, ଏକତା ଓ ଭକ୍ତିର ସମୟ ଏବଂ ଏହି ଉତ୍ସବରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ଆବଶ୍ୟକ। ବିଦ୍ୟୁତ ବ୍ୟବହାର ସମୟରେ ସାମାନ୍ୟ ଅବହେଳା ମଧ୍ୟ ଗୁରୁତର ପରିଣାମ ଆଣିପାରେ। ତେଣୁ ଆମେ ସମସ୍ତ ପୂଜା କମିଟି, ଆୟୋଜକ ଓ ନାଗରିକଙ୍କୁ ଦାୟିତ୍ୱବାନ ଭାବେ ବିଦ୍ୟୁତ ବ୍ୟବହାର କରିବା, ଅନୁମୋଦିତ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ଏବଂ ବିଦ୍ୟୁତ ସୁରକ୍ଷା ନିୟମକୁ ସୁରକ୍ଷିତ ଭାବେ ପାଳନ କରିବାକୁ ଅନୁରୋଧ କରୁଛୁ। ପାର୍ବଣ ଋତୁରେ ଗ୍ରାହକମାନଙ୍କୁ ସହଯୋଗ କରିବା ସହିତ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଆମର ଟିମ୍ ସଦା ପ୍ରତିବଦ୍ଧ ରହିଛି।”ଟିପିଏସ୍ଓଡିଏଲ୍ ଗ୍ରାହକମାନଙ୍କୁ ଯେକୌଣସି ଅସୁରକ୍ଷିତ ବିଦ୍ୟୁତ ବ୍ୟବସ୍ଥା, କ୍ଷତିଗ୍ରସ୍ତ ବିଦ୍ୟୁତ ତାର, ଛିଣ୍ଡା ତାର କିମ୍ବା ଅନ୍ୟ କୌଣସି ବିଦ୍ୟୁତ ସମ୍ବନ୍ଧୀୟ ସମସ୍ୟା ସମ୍ପର୍କରେ ତୁରନ୍ତ କମ୍ପାନୀକୁ ସୂଚନା ଦେବାକୁ କହିଛି। କୌଣସି ପରିସ୍ଥିତିରେ ତଳେ ପଡ଼ିଥିବା ବିଦ୍ୟୁତ ତାର ନିକଟକୁ ନ ଯିବା କିମ୍ବା ତାହାକୁ ସ୍ପର୍ଶ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। କମ୍ପାନୀ ଏହାର କାର୍ଯ୍ୟକ୍ଷେତ୍ରରେ ନିୟମିତ ଭାବେ ବିଦ୍ୟୁତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଏବଂ ସୁରକ୍ଷା ପରାମର୍ଶ ପ୍ରଚାର କାର୍ଯ୍ୟ ଜାରି ରଖିଛି ।ସହାୟତା ଏବଂ ଜରୁରୀ ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ପାଇଁ ଗ୍ରାହକମାନେ ଟିପିଏସ୍ଓଡିଏଲର ୨୪ ଘଣ୍ଟିଆ ଗ୍ରାହକ ସେବା ନମ୍ବର ୧୯୧୨ କିମ୍ବା ୧୮୦୦-୨୦୨୬ରେ ଯୋଗାଯୋଗ କରିପାରିବେ।ଟିପିଏସ୍ଓଡିଏଲ୍ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇବା ସହିତ ପାର୍ବଣ ଉତ୍ସବର ଏକ ଅବିଚ୍ଛିନ୍ନ ଅଂଶ ଭାବେ ବିଦ୍ୟୁତ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛି।
