*ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବେଟି ବଚାଅ ବେଟି ପଢ଼ାଅ ଅଭିଯାନ*
ଗଜପତି,୯.୯(ମନୋଜ ପାଢ଼ୀ) :-ପାରଳାଖେମୁଣ୍ଡି ସହର ସନ୍ନିକଟ ସ୍ଥାନୀୟ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବେଟି ବଚାଅ ବେଟି ପଢ଼ାଅ କାର୍ଯ୍ୟକ୍ରମ ଅଧୀନରେ ଏକ ବ୍ଲକ ସ୍ତରୀୟ ଯୁବ ସମାବେଶ ଆଜି ସକାଳ ୧୧ଟା ସମୟ ରେ ଅନୁଷ୍ଠିତ ହୋଇଯାଇଛି।ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଲିଙ୍ଗ ସମାନତା, ବାଳିକା ଶିକ୍ଷା, ବାଳିକାଙ୍କ ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିସହିତ ଲିଙ୍ଗଭିତ୍ତିକ ଭେଦଭାବ ଓ ଲିଙ୍ଗ ଚୟନଭିତ୍ତିକ ଗର୍ଭପାତକୁ ରୋକିବା, ବାଳିକାମାନଙ୍କୁ ଶିକ୍ଷା ଓ ସମାନ ସୁଯୋଗ ପ୍ରଦାନ କରିବା ସହ ସମାଜରେ ଯୁବପିଢ଼ିଙ୍କ ଭୂମିକାକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମର ଅଂଶ ଭାବେ ୭ ସେପ୍ଟେମ୍ବର ୨୦୨୬ ରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ବାଳିକା ଶିକ୍ଷା, ଲିଙ୍ଗ ସମାନତା ଓ ମହିଳା ସଶକ୍ତିକରଣ ସମ୍ପର୍କରେ ନିଜ ନିଜର ଚିନ୍ତାଧାରା ଓ ସୃଜନଶୀଳତା ପ୍ରଦର୍ଶନ କରିଥିଲେ।ଚୂଡ଼ାନ୍ତ ଯୁବ ସମାବେଶରେ ଗୁମ୍ମା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଲାରାମ ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ଯୁବକମାନଙ୍କୁ ଲିଙ୍ଗ ସମାନତା, ଶିକ୍ଷା ଏବଂ ବାଳିକା ସଶକ୍ତିକରଣର ଗୁରୁତ୍ୱ ଉପରେ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୁମ୍ମା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ଗୁମ୍ମା ଓ ସୁଶ୍ରୀ ଗାୟତ୍ରୀ ପଟ୍ଟନାୟକ, ଡିଏସଡ୍ଳୁଓ ଯୋଗ ଦେଇଥିଲେ।ସୁରକ୍ଷା ଅଧିକାରୀ ଶ୍ରୀମତୀ ଶାରଳା ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସମାଜରେ ରହିଥିବା ଲିଙ୍ଗଭିତ୍ତିକ ଭେଦଭାବ ଦୂର କରିବା ସହିତ ବାଳିକାମାନଙ୍କୁ ସମାନ ଶିକ୍ଷା ଓ ସୁଯୋଗ ପ୍ରଦାନ ଦିଗରେ ଯୁବପିଢ଼ିଙ୍କୁ ସଚେତନ ଓ ସକ୍ରିୟ ହେବା ପାଇଁ ଆହ୍ୱାନ ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ନିଜ ଅଭିଭାଷଣରେ ସମାଜରେ ବାଳିକାଙ୍କ ପ୍ରତି ସକାରାତ୍ମକ ମନୋଭାବ ଗଠନ, ବାଳିକା ଶିକ୍ଷାର ପ୍ରସାର ଓ ଲିଙ୍ଗ ଭେଦମୁକ୍ତ ସମାଜ ଗଠନ ପାଇଁ ଯୁବକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ମତ ରଖିଥିଲେ। ବିଦ୍ୟାଳୟର ଦୁଇଜଣ କୃତି ଛାତ୍ରଛାତ୍ରୀ ଶ୍ରୀମାନ ରବିତେଜା ଶବର ଓ ସୁଶ୍ରୀ ବ୍ଲେସି ରାଉଳ ବାଳିକାଙ୍କ ସୁରକ୍ଷା ଓ ସଶକ୍ତିକରଣ ରେ ଯୁବପୀଢ଼ିଙ୍କ ଭୂମିକା କେତେଯେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ସବିଶେଷ ତଥ୍ୟ ରଖି ଖୁବ ପ୍ରଶଂସିତ ହୋଇଥିଲେ। ବିଦ୍ୟାଳୟ ର ସମସ୍ତ କର୍ମକର୍ତ୍ତା ସମାବେଶକୁ ସଫଳ କରିବାରେ ସହଯୋଗ କରିଥିଲେ।
