*ପରିବେଶ ସୁରକ୍ଷା ପାଇଁ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ ଦ୍ୱାରା ବୃକ୍ଷ ରୋପଣ*
ଗଜପତି, ୯.୯(ମନୋଜ ପାଢୀ) :-ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ସାମାଜିକ ସଚେତନତା ଓ ସବୁଜ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପାରଳାଖେମୁଣ୍ଡି ପକ୍ଷରୁ ଜାତୀୟ ସେବା ଯୋଜନା ୟୁନିଟ୍ ପକ୍ଷରୁ ଆୟୋଜିତ ମେଗା ବୃକ୍ଷରୋପଣ ଅଭିଯାନର ଉଦ୍ଘାଟନୀ ସମାରୋହ ଖରସଣ୍ଡାସ୍ଥିତ ରାଜୀବ ମେମୋରିଆଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ କେ. ନାଗରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏମ୍.ଏସ୍. ସ୍ୱାମୀନାଥନ୍ କୃଷି ବିଦ୍ୟାଳୟର ଡିନ୍ ପ୍ରଫେସର ସାଗର ମୈତ୍ର, ସେଞ୍ଚୁରିଆନ୍ ୟୁନିଭର୍ସିଟି ପାରଳାଖେମୁଣ୍ଡିର ଡିନ୍ ଷ୍ଟୁଡେଣ୍ଟ ଆଫେୟାର୍ସ ଡଃ ରିତେଶ କୁମାର, ଚାରାରୋପଣ କାର୍ଯ୍ୟକ୍ରମ ସଂଯୋଜକ ତଥା ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡଃ ବିଷ୍ଣୁପ୍ରସାଦ ଦାଶ, ରାଜୀବ ମେମୋରିଆଲ ହାଇସ୍କୁଲର ପ୍ରଧାନଶିକ୍ଷକ ଶ୍ରୀ ବି. ରାଜଶେଖରମ୍, ସରପଞ୍ଚଙ୍କ ପ୍ରତିନିଧି ଏବଂ ବନ ବିଭାଗର ଅଧିକାରୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଉଦଘାଟନୀ ଅଭିଭାଷଣରେ ଡଃ ବିଷ୍ଣୁପ୍ରସାଦ ଦାଶ ପରିବର୍ତ୍ତିତ ଜଳବାୟୁ ପରିସ୍ଥିତିରେ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, କେବଳ ଚାରା ରୋପଣ କରିଦେଲେ ଆମର ଦାୟିତ୍ୱ ଶେଷ ହୁଏ ନାହିଁ ବରଂ ରୋପଣ କରାଯାଇଥିବା ଗଛଗୁଡ଼ିକର ଯତ୍ନ ନେବା ମଧ୍ୟ ସମାନ ଭାବରେ ଆବଶ୍ୟକ।ଛାତ୍ରଛାତ୍ରୀମାନେ ଗଛଗୁଡ଼ିକର ଯତ୍ନ ନେଇ ଏକ ସବୁଜ, ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଜର ଅବଦାନ ରଖିବାକୁ ସେ ଆହ୍ୱାନ ଜଣାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବି. ରାଜଶେଖରମ୍ ନିଜ ଅଭିଭାଷଣରେ ମାନବ ଜୀବନ ଓ ପରିବେଶ ପାଇଁ ଗଛର ଅପରିହାର୍ଯ୍ୟତା ବିଷୟରେ ଆଲୋଚନା କରିଥିଲେ। ତାଙ୍କ ବିଦ୍ୟାଳୟରେ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଅଭିଯାନ ଆୟୋଜନ କରିଥିବାରୁ ସେ ବନଖଣ୍ଡ ଅଧିକାରୀ ଓ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟର ସମଗ୍ର ଟିମ୍କୁ ଧନ୍ୟବାଦ ଜଣାଇଥିଲେ। ଡଃ ରିତେଶ କୁମାର ତାଙ୍କ ଅଭିଭାଷଣରେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ହ୍ରାସ କରିବାରେ ବୃକ୍ଷର ଗୁରୁତ୍ୱ ଉପରେ ମତ ପ୍ରକାଶ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ସହିତ ନିଜ ଅଞ୍ଚଳକୁ ସବୁଜ କରିବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ଶ୍ରୀ କେ. ନାଗରାଜୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ସେଞ୍ଚୁରିଆନ୍ ୟୁନିଭର୍ସିଟିର ଏହି ମହତ୍ତ୍ୱପୂର୍ଣ୍ଣ ପରିବେଶ ସଚେତନତାମୂଳକ ପଦକ୍ଷେପକୁ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। ସେ ନିଜ ବକ୍ତବ୍ୟରେ ଚାରାକୁ ପ୍ରଥମ ତିନି ବର୍ଷ ଯତ୍ନର ସହିତ ଲାଳନପାଳନ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ଗଛ ଆମକୁ ଅମ୍ଳଜାନ ଯୋଗାଥାଏ।ଏହା ସହିତ ସେ “ଏକ ପେଡ୍ ମା କେ ନାମ” ଅଭିଯାନର ମହତ୍ତ୍ୱ ବୁଝାଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏମ୍.ଏସ. ସ୍ୱାମୀନାଥନ କୃଷି ବିଦ୍ୟାଳୟର ପ୍ରଫେସର ସାଗର ମୈତ୍ର, ଡିନ୍, ଧନ୍ୟବାଦ ଅର୍ପଣ କରିଥିଲେ। ସେ ମୁଖ୍ୟ ଅତିଥି, ବନ ବିଭାଗର ଅଧିକାରୀ, ବିଦ୍ୟାଳୟ କର୍ତ୍ତୃପକ୍ଷ, ଗ୍ରାମବାସୀ, କୃଷକ ଏବଂ ଛାତ୍ରଛାତ୍ରୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।ଏହି ଅବସରରେ ବୃକ୍ଷରୋପଣ ପାଇଁ ନିଜସ୍ୱ ଜମି ଯୋଗାଇ ଦେଇଥିବା ଶ୍ରୀ କୋର୍ରା ଶାମ୍ବାମୂର୍ତ୍ତି ଏବଂ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବି. ରାଜଶେଖରମଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୩୦ ଗୋଟି ଚାରା ରୋପଣ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥିଙ୍କ ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ବୃକ୍ଷରୋପଣରେ ଅଂଶଗ୍ରହଣ କରିଥିଲେ।
