*ଶିକ୍ଷାଦାନରେ ବାଧକ ସାଜିନାହିଁ ବାର୍ଦ୍ଧକ୍ୟ, ଅନାଥାଶ୍ରମର ଛାତ୍ରୀଙ୍କୁ ମାଗଣାରେ ପଢ଼ାଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ।
ଗଜପତି,(ମନୋଜ ପାଢ଼ୀ) :- ବୟସ ବଢ଼ିଛି, କିନ୍ତୁ ଶିକ୍ଷାଦାନର ଆଗ୍ରହ କମିନାହିଁ। ନିଜର ଜ୍ଞାନକୁ ଛାତ୍ରୀମାନଙ୍କ ମଧ୍ୟରେ ବାଣ୍ଟିବାର ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ଆଜି ବି ଶିକ୍ଷାଦାନ କ୍ଷେତ୍ରରେ ସକ୍ରିୟ ରଖିଛି। ଏଭଳି ଜଣେ ଶିକ୍ଷାପ୍ରେମୀ ହେଉଛନ୍ତି ପାରଳାଖେମୁଣ୍ଡିର ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିନୋଦ ଚନ୍ଦ୍ର ଜେନା।ସଂପ୍ରତି ଶ୍ରୀ ଜେନା ନବଜୀବନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଅନାଥାଶ୍ରମର ଅନ୍ତେବାସୀ ଛାତ୍ରୀମାନଙ୍କୁ ମାଗଣାରେ ଗଣିତ ଓ ବିଜ୍ଞାନ ଶିକ୍ଷା ପ୍ରଦାନ କରିଆସୁଛନ୍ତି। କେବଳ ପାଠ ପଢ଼ାଇବା ନୁହେଁ, ସରଳ ବିଜ୍ଞାନ ଉପକରଣର ବ୍ୟବହାର ମାଧ୍ୟମରେ ପିଲାମାନଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଓ ଉତ୍ସୁକତା ସୃଷ୍ଟି କରିବାରେ ମଧ୍ୟ ସେ ସଫଳ ହୋଇଛନ୍ତି।କିଛି ଦିନ ପୂର୍ବେ ସେ ଅନାଥାଶ୍ରମ ପରିସରରେ ଏକ ବିଜ୍ଞାନ କର୍ମଶାଳା ମଧ୍ୟ ଆୟୋଜନ କରିଥିଲେ।ଛାତ୍ରଛାତ୍ରୀମାନଙ୍କର ବାହାରକୁ ଯାଇ କୋଚିଂ ନେବାର ସୁବିଧା ନଥିବାରୁ ଶ୍ରୀ ଜେନାଙ୍କ ଏହି ଉଦ୍ୟମ ସେମାନଙ୍କ ପାଇଁ ବେଶ୍ ଉପକାରୀ ହୋଇଛି।ବିଶେଷକରି ଗଣିତ ଭଳି କଠିନ ବିଷୟକୁ ସରଳ ଭାଷାରେ ବୁଝାଇବାର ତାଙ୍କ ଶିକ୍ଷାଦାନ ପ୍ରଣାଳୀକୁ ଛାତ୍ରୀମାନେ ବେଶ ପସନ୍ଦ କରିବା ସହ ଖୁସି ପ୍ରକାଶ କରିଛନ୍ତି।ପରିଣତ ବୟସରେ ମଧ୍ୟ ଶ୍ରୀ ଜେନାଙ୍କ ଏଭଳି ନିଃସ୍ୱାର୍ଥପର ଶିକ୍ଷାଦାନ ପାଇଁ ଅନାଥାଶ୍ରମର ପରିଚାଳକ ଶ୍ରୀ ରାବଣାବାବୁ ସାଧୁବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ ବିଗତ ଦିନରେ ମଧ୍ୟ ଶ୍ରୀ ଜେନା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରମାନଙ୍କୁ ଶିକ୍ଷାଦାନ କରି ଉଚ୍ଚ ପ୍ରଶଂସା ଲାଭ କରିଥିଲେ। ତାଙ୍କର ଏହି ନିଃସ୍ୱାର୍ଥ ଶିକ୍ଷାସେବା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଉଦାହରଣ ସୋଇପାରିଛି।
