ମୋହନା ବ୍ଲକରେ ଜୁନିଅର ରେଡକ୍ରସର ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର ।
ଗଜପତି,10.8(ମନୋଜ ପାଢ଼ୀ)-:ଭାରତୀୟ ରେଡ଼କ୍ରସର ଓଡ଼ିଶା ରାଜ୍ୟଶାଖା ଓ ଗଜପତି ଜିଲ୍ଲାର ଜୁନିଅର ରେଡକ୍ରସର ମିଳିତ ଆନୁକୂଲ୍ୟରେ ମୋହନା ବ୍ଲକର ବିଭିନ୍ନ ବିଦ୍ୟାଳୟରେ “ଅସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ” ସ୍ଲୋଗାନକୁ ଆଧାର କରି ଏକ ପ୍ରାଥମିକ ଚିକିତ୍ସା ଓ ନିଶା ନିବାରଣ ତାଲିମି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅବସରରେ ସରକାରୀ ଉଚ୍ଚ ବିଦ୍ୟାଳୟ ବଡସିନ୍ଧବା, ସରକାରୀ ଉଚ୍ଚ ବିଦ୍ୟାଳୟ ଯୋଡାମ୍ବ,ସରକାରୀ ଉଚ୍ଚ ବିଦ୍ୟାଳୟ ଜୀରାଙ୍ଗ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଧାଡ଼ିଆମ୍ବଠାରେ ଏହି ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରି ପ୍ରାଥମିକ ଚିକିତ୍ସାର ବିଭିନ୍ନ କୌଶଳ ଗୁଡିକ ବିଷୟରେ ଅବଗତ ହେବା ସହିତ ବିପର୍ଯ୍ୟୟର କିପରି ସମ୍ମୁଖିନ ହେବା ଏବଂ ନିଶା ନିବାରଣ ବିଷୟରେ ଶିକ୍ଷା ଗ୍ରହଣ କରିଥିଲେ। ଶିବିରରେ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସର ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସ, ମୋହନା ବ୍ଲକ ଜୁନିଅର ରେଡ଼କ୍ରସର କୋ୍ଡିନେଟର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଓ ଜିଲ୍ଲା ସମ୍ବଳ ସାଧନକର୍ମୀ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ପ୍ରଶିକ୍ଷକ ଭାବେ ଯୋଗଦେଇ ରେଡ଼କ୍ରସର ଉଦ୍ଦେଶ୍ୟ, ବିଦ୍ୟାଳୟରେ ରେଡ଼କ୍ରସର ଭୂମିକା, ସଡ଼କ ସୁରକ୍ଷା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ, ପ୍ରାଥମିକ ଚିକିତ୍ସା, ସର୍ପାଘାତ, କୁକୁର କାମୁଡ଼ା, ରକ୍ତସ୍ରାବ, ଡେଙ୍ଗୁ ଓ ମ୍ୟାଲେରିଆ ଏବଂ ନିଶା ନିବାରଣ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପ୍ରଶିକ୍ଷଣରୁ ଉପକୃତ ହେବା ସହ ବିଭିନ୍ନ ଜରୁରୀ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନ ଆହରଣ କରିଥିଲେ।ଶେଷରେ ବିଦ୍ୟାଳୟ ପକ୍ଷରୁ ପ୍ରଶିକ୍ଷକମାନଙ୍କୁ କୃତଜ୍ଞତା ଜଣାଯାଇଥିଲା। ଏଭଳି ଉପଯୋଗୀ ପ୍ରଶିକ୍ଷଣ ଆୟୋଜନ ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ଭାରତୀୟ ରେଡ଼କ୍ରସ ଓଡ଼ିଶା ରାଜ୍ୟଶାଖା ଏବଂ ଗଜପତି ଜିଲ୍ଲା ଜୁନିଅର ରେଡ଼କ୍ରସକୁ ଭୂୟସୀ ପ୍ରଶଂସା କରିଥିଲେ।
