କାଲିମେଳାରେ ବଡ଼ ଧରଣର ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସକୁ ମିଳିଛି ବଡ଼ ସଫଳତା। ବଦଲିଗୁଡ଼ା ଘାଟି ନିକଟରୁ ପ୍ରାୟ ୪୨୦ କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ବୋଲି ଜଣାପଡ଼ିଛି।ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗତକାଲି ରାତିରେ କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଭେଜଙ୍ଗିବାଡ଼ା ପଞ୍ଚାୟତ ଅନ୍ତର୍ଗତ ବଦଲିଗୁଡ଼ା ଘାଟି ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ଘାଟିରୁ ତଳକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍କୁ ଅଟକାଇ ତଲାସୀ କରାଯିବା ପରେ ସେଥିରୁ ୪୨୦ କେଜି ଗଞ୍ଜେଇ ଜବତ କରାଯାଇଥିଲା।ପୁଲିସ ସୂଚନା ଅନୁସାରେ, ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ପାଇଁ ନିଆଯାଉଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ପରେ ତଦନ୍ତ ଆଧାରରେ ଏମଭି-୧୨୬ ଗ୍ରାମରୁ ଅନ୍ୟ ଜଣେ ଯୁବକଙ୍କୁ ପୁଲିସ ଧରିଥିଲା।ଗିରଫ ଅଭିଯୁକ୍ତମାନେ ହେଲେ ଏମଭି-୭୨ ଗ୍ରାମର ରାମକୃଷ୍ଣ ଦାସ ଓ ଏମଭି-୧୨୬ ଗ୍ରାମର ବବୁଲୁ ଦତ୍ତ। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।ଏହି ଘଟଣା ପଛରେ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍ର ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ କହିଛନ୍ତି।ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧୦ ତାରିଖରେ ମଧ୍ୟ ଏହି ବଦଲିଗୁଡ଼ା ଘାଟି ଅଞ୍ଚଳରୁ କାଲିମେଳା ପୁଲିସ ୧୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିଲା। ତେବେ ସେ ସମୟରେ ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
