ପିଲାଙ୍କ ଶୈକ୍ଷିକ ଅଭିବୃଦ୍ଧି ପାଇଁ ବିଦ୍ୟାଳୟ ପରିଦର୍ଶନରେ ଟିକାବାଲି ବିଇଓ…..

ପିଲାଙ୍କ ଶୈକ୍ଷିକ ଅଭିବୃଦ୍ଧି ପାଇଁ ବିଦ୍ୟାଳୟ ପରିଦର୍ଶନରେ ଟିକାବାଲି ବିଇଓ.....

ପିଲାଙ୍କ ଶୈକ୍ଷିକ ଅଭିବୃଦ୍ଧି ପାଇଁ ବିଦ୍ୟାଳୟ ପରିଦର୍ଶନରେ ଟିକାବାଲି ବିଇଓ…..

କନ୍ଧମାଳ: ( ରିପୋର୍ଟ କୁନା ଦିଗାଲ )ପିଲାଙ୍କ ଶୈକ୍ଷିକ ଅଭିବୃଦ୍ଧି, ଗୁଣାତ୍ମକ ଶିକ୍ଷା ଏବଂ ବିଦ୍ୟାଳୟର ସାମଗ୍ରିକ ବିକାଶକୁ ଲକ୍ଷ୍ୟ କରି ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳ ଟିକାବାଲି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରି ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହ ବିଭିନ୍ନ ଶୈକ୍ଷିକ ବିଷୟରେ ଆଲୋଚନା କରିଛନ୍ତି।ଏହି ପରିପ୍ରେକ୍ଷୀରେ ସେ ଗସାଗୁଡ଼ା କ୍ଲଷ୍ଟରର ପିକରଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗଦଗୁଡ଼ା କ୍ଲଷ୍ଟରର ଗଦଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ରୁଦାଙ୍ଗିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ବିଇଓଙ୍କ ସହ ଏକ ମନିଟରିଂ ଦଳ ମଧ୍ୟ ପରିଦର୍ଶନରେ ସାମିଲ ହୋଇଥିଲେ। ଏହି ଦଳରେ ବି.ଆର୍.ସି.ସି. ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଏବଂ ସି.ଆର୍.ସି.ସି. ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ବିଷ୍ଣୁପ୍ରସାଦ ହୋତା, ଶ୍ରୀ ଜୟପ୍ରକାଶ ପାତ୍ର ଓ ଶ୍ରୀ ପବିତ୍ର କୁମାର ସାହୁ ଉପସ୍ଥିତ ଥିଲେ।ପରିଦର୍ଶନ ସମୟରେ ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭୌତିକ ଭିତ୍ତିଭୂମି, ପରିଷ୍କାର-ପରିଚ୍ଛନ୍ନତା, ସୁରକ୍ଷା ବ୍ୟବସ୍ଥା ଓ ଶିକ୍ଷାଦାନ ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା। ବିଦ୍ୟାଳୟ ପରିସର ଶିକ୍ଷାର୍ଥୀଙ୍କ ପାଇଁ ସ୍ୱଚ୍ଛ, ସୁରକ୍ଷିତ ଏବଂ ବିପଦମୁକ୍ତ ପରିବେଶ ହେବା ଆବଶ୍ୟକ ବୋଲି ବିଇଓ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ସେ କହିଥିଲେ ଯେ, ବିଦ୍ୟାଳୟର ପ୍ରତ୍ୟେକ ଶିଶୁ ଯେପରି ଓଡ଼ିଆ ଅକ୍ଷର, ଶବ୍ଦ ଓ ବାକ୍ୟ ସଠିକ ଭାବରେ ପଢ଼ିବା, ଲେଖିବା ଓ ବୁଝିବାରେ ସକ୍ଷମ ହେବେ, ସେଥିପ୍ରତି ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ।ଏହା ସହିତ ବିଦ୍ୟାଳୟର ବିଭିନ୍ନ ରେକର୍ଡ, ରେଜିଷ୍ଟର, ଶିକ୍ଷକଙ୍କ ଲେସନ୍ ପ୍ଲାନ୍, ବାର୍ଷିକ ପାଠ୍ୟ ଖସଡ଼ା ଆଦି ଯାଞ୍ଚ କରି ସେଗୁଡ଼ିକୁ ନିୟମିତ ଓ ସଠିକ ଭାବେ ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଶ୍ରେଣୀକକ୍ଷରେ ବିଷୟଭିତ୍ତିକ ସମୟ ନିର୍ଘଣ୍ଟ ପ୍ରଦର୍ଶିତ କରିବା ଏବଂ ତାହାର ସଠିକ ପାଳନ କରିବାକୁ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।ବିଇଓ ଶ୍ରୀ ଦିଗାଳ କହିଥିଲେ ଯେ, “ବିକଶିତ ଭାରତ ଗଠନରେ ଶିଶୁମାନେ ହିଁ ମୁଖ୍ୟ ଆଧାର। ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ହେଲେ ହିଁ ଦେଶର ସୁଦୃଢ଼ ବିକାଶ ସମ୍ଭବ।”ସେ ଆହୁରି କହିଥିଲେ ଯେ, ଶିଶୁମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି, ଉତ୍ତମ ଆଚରଣ, ଶୁଦ୍ଧ ଉଚ୍ଚାରଣ, ବୟୋଜ୍ୟେଷ୍ଠଙ୍କ ପ୍ରତି ସମ୍ମାନ, ନୈତିକ ମୂଲ୍ୟବୋଧ ଓ ଭକ୍ତିଭାବ ବିକାଶ ପାଇଁ ବିଦ୍ୟାଳୟ ସ୍ତରରେ ନିରନ୍ତର ପ୍ରୟାସ ଜାରି ରହିବା ଆବଶ୍ୟକ।ପରିଦର୍ଶନ ଶେଷରେ ବିଇଓ ବିଦ୍ୟାଳୟର ସାମଗ୍ରିକ ଉନ୍ନତି ପାଇଁ ଶିକ୍ଷକମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ସମସ୍ତଙ୍କୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।