ସୌର ଶକ୍ତିର ସଫଳତା: ଗଞ୍ଜାମର ପ୍ରାୟ ୩ ହଜାର ପରିବାରଙ୍କ ବିଜୁଳି ବିଲ୍ ଶୂନ

ସୌର ଶକ୍ତିର ସଫଳତା: ଗଞ୍ଜାମର ପ୍ରାୟ ୩ ହଜାର ପରିବାରଙ୍କ ବିଜୁଳି ବିଲ୍ ଶୂନ

ସୌର ଶକ୍ତିର ସଫଳତା: ଗଞ୍ଜାମର ପ୍ରାୟ ୩ ହଜାର ପରିବାରଙ୍କ ବିଜୁଳି ବିଲ୍ ଶୂନ

, ଜୁନ ୨୦୨୬ (ଚନ୍ଦନ ପ୍ରସାଦ):ଗଞ୍ଜାମ ଜିଲ୍ଲା ଏବେ ଓଡ଼ିଶାର ସୌର ଶକ୍ତି ବିପ୍ଳବର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛି। ଜିଲ୍ଲାର ପ୍ରାୟ ୩ ହଜାର ପରିବାର ମଇ ମାସରେ କୌଣସି ବିଦ୍ୟୁତ ବିଲ୍ ପୈଠ କରିନାହାନ୍ତି। ଟିପିଏସ୍ଓଡିଏଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୋଟ ୨,୯୪୩ ପରିବାର ଜିରୋ ବିଲିଂର ସୁବିଧା ପାଇଛନ୍ତି, ଯାହା ସୌର ଶକ୍ତିର ସଫଳ ଉପଯୋଗର ପ୍ରମାଣ ଦେଇଛି।ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଓ ୟୁଟିଲିଟି ଲେଡ୍ ଆଗ୍ରିଗେସନ୍ (ୟୁଏଲ୍ଏ) ମଡେଲ ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ସିଷ୍ଟମ ସ୍ଥାପିତ ହୋଇଛି। ଏଥିମଧ୍ୟରୁ ୭,୦୮୫ଟି ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ଏବଂ ୪,୧୦୨ଟି ୟୁଏଲ୍ଏ ମଡେଲ ଅଧୀନରେ ସ୍ଥାପନ କରାଯାଇଛି।ଉପଭୋକ୍ତାଙ୍କ ମଧ୍ୟରେ ସୌର ଶକ୍ତି ପ୍ରତି ବଢୁଥିବା ଆଗ୍ରହର ପ୍ରତିଫଳନ ସ୍ୱରୂପ ଜିଲ୍ଲାରୁ ୧୬,୭୬୦ରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି। ସମଗ୍ର ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ଦ୍ୱାରା ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ ହୋଇଥିବା ବେଳେ ଗଞ୍ଜାମ ଏଥିରେ ସର୍ବାଧିକ ଅବଦାନ ରଖିଛି।ବେଲଗୁଣ୍ଠା ଅଞ୍ଚଳର ଉପଭୋକ୍ତା ଶ୍ରୀ ତ୍ରିଲୋଚନ ମଲ୍ଲିକ କହିଛନ୍ତି ଯେ, ତାଙ୍କ ଘରେ ୩ କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ ପରେ ପୂର୍ବରୁ ମାସିକ ୬୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଆସୁଥିବା ବିଦ୍ୟୁତ ବିଲ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ଶୂନ ହୋଇଯାଇଛି।ଟିପିଏସ୍ଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, ଗଞ୍ଜାମରେ ପ୍ରାୟ ୩ ହଜାର ଉପଭୋକ୍ତାଙ୍କ ଜିରୋ ବିଲ୍ ପାଇବା ସୌର ଶକ୍ତି ପ୍ରତି ଲୋକଙ୍କ ବିଶ୍ୱାସ ଓ ଆଗ୍ରହର ପ୍ରତୀକ। ଭବିଷ୍ୟତରେ ଅଧିକରୁ ଅଧିକ ପରିବାରଙ୍କୁ ସୌର ଶକ୍ତି ସହ ଯୋଡ଼ି ଓଡ଼ିଶାର ସ୍ୱଚ୍ଛ ଏବଂ ଶକ୍ତି-ସୁରକ୍ଷିତ ଭବିଷ୍ୟତ ଗଠନରେ ସହଯୋଗ କରିବାକୁ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।ସୌର ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ୍ ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଅଭିଯାନ ଚଳାଇ ଆସୁଛି, ଯାହା ଦ୍ୱାରା ଅଧିକ ପରିବାର ସରକାରୀ ସବସିଡି ଏବଂ ସୌର ଶକ୍ତିର ଲାଭ ପାଇପାରୁଛନ୍ତି।ରିପୋର୍ଟ: ଚନ୍ଦନ ପ୍ରସାଦ