ଗଞ୍ଜାମ ଜିଲ୍ଲା ଦୁର୍ନୀତି ଅଭିଯୋଗରେ ବାଲିପଦର ଗାର୍ଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ହାଇକୋର୍ଟର ଦ୍ବାରସ୍ଥ

ଗଞ୍ଜାମ ଜିଲ୍ଲା ଦୁର୍ନୀତି ଅଭିଯୋଗରେ ବାଲିପଦର ଗାର୍ଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ହାଇକୋର୍ଟର ଦ୍ବାରସ୍ଥ

ଗଞ୍ଜାମ ଜିଲ୍ଲା ଦୁର୍ନୀତି ଅଭିଯୋଗରେ ବାଲିପଦର ଗାର୍ଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ, ହାଇକୋର୍ଟର ଦ୍ବାରସ୍ଥ

ବୁଗୁଡ଼ା : ୧୬/୦୬/୨୬ : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥ ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କ ବିରୁଦ୍ଧରେ ଗ୍ରାମବାସୀ ଆଣିଥିବା ଦୁର୍ନୀତି ଅଭିଯୋଗ କ୍ରମେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ବାରା ସେ ନିଲମ୍ବିତ ହୋଇଥିବା ଜଣାଯାଇଛି। ଏ ନେଇ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଆଦେଶାଙ୍କ ୯୪୫୬ ତା୨୧-୦୫-୨୦୨୬ରିଖ ପ୍ରକାରେ ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କୁ ନିଲମ୍ବନ ଆଦେଶ ପ୍ରଦାନ କରାଯାଇଥିବା ସହ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୈନିକ ହାଜିରା ଦେବା ପାଇଁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ତେବେ ଆସନ୍ତା ଜୁଲାଇ ୩୧ ତାରିଖରେ ଅବସର ଗ୍ରହଣ କରିବାକୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେବା ଘଟଣାକୁ ନେଇ ସାଧାରଣରେ ଜୋରସୋରରେ ଆଲୋଚନା ହେଉଛି। ପ୍ରକାଶ ଯୋଗ୍ୟ ଯେ, ପୂର୍ବରୁ ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧିଙ୍କ ବିରୁଦ୍ଧରେ ବାଲିପଦର ଗ୍ରାମବାସୀବୃନ୍ଦଙ୍କ ପକ୍ଷରୁ ଅଣାଯାଇଥିବା ଦୁର୍ନୀତି ଅଭିଯୋଗକୁ ନେଇ ଓଡିଶା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ରାଜ୍ଯ ପ୍ରକଳ୍ପ ଅଧିକାରୀ, ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ, ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସମେତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଥିଲା ଯେ ବିଦ୍ଯାଳୟରେ ଅଧ୍ଯୟନରତ ଛାତ୍ରୀଙ୍କୁ ଦୀର୍ଘ ତିନି ମାସ ହେଲା ମଧ୍ୟାହ୍ନ ଭୋଜନ ଦିଆଯାଉନଥିଲା ଏବଂ ଗଚ୍ଛିତ ବସ୍ତାବସ୍ତା ମଧ୍ଯାହ୍ନ ଭୋଜନ ଚାଉଳକୁ ବଜାର ଦରରେ ବିକ୍ରି କରିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ମସୁଧା ଚଳାଉଥିଲେ । ଏଥି ସହ କଳା, କ୍ରୀଡା ଓ ହିନ୍ଦୀ ବିଷୟରେ ଶିକ୍ଷୟିତ୍ରୀ ପରିବର୍ତ୍ତେ ଶିକ୍ଷକ ଏବଂ ସସ୍କୃତ ଶିକ୍ଷୟିତ୍ରୀଙ୍କୁ ଜାଲ ନିଯୁକ୍ତି ଦେବା ସହ ଆଜି ପର୍ଯ୍ୟନ୍ତ କାର୍ଯ୍ଯ ନିୟମିତ ହୋଇପାରିନଥିବା ଶିକ୍ଷୟିତ୍ରୀମାନଙ୍କଠାରୁ ସେମାନଙ୍କ ପଦବୀ ଅନୁମୋଦନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଆତ୍ମସାତ୍ କରୁଥିଲେ । ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ଆୟବ୍ଯୟ ହିସାବ କାହାରିକୁ ଦେଖାଉନଥିଲେ ଏବଂ ସେ ବିଦ୍ଯାଳୟର ଗଛଗୁଡ଼ିକୁ କାଟି ବିକ୍ରି କରିବା ସହ ପୂର୍ବରୁ ହୋଇଥିବା ଫାଇଭ-ଟି କାର୍ଯ୍ୟର ବିଭିନ୍ନ ସାମଗ୍ରୀ ମଧ୍ୟ ବଜାରରେ ବିକ୍ରି କରିଥିଲେ । ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ପରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ଓ ତତ୍କାଳୀନ ଏବିଇଓ ଅମିତା କୁମାରୀ ପାଢୀ ଗତ ଏପ୍ରିଲ ୨୧ ତାରିଖରେ ବାଲିପଦର ଗାର୍ଲସ୍ ହାଇସ୍କୁଲକୁ ପର୍ଯ୍ଯବେକ୍ଷଣ ପୂର୍ବକ ତଦନ୍ତ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ତେବେ ନିଲମ୍ବିତା ପ୍ରଧାନ ଶିକ୍ଷୟିତ୍ରୀ ସ୍ବପ୍ରତିକ୍ରିୟାରେ ଗ୍ରାମବାସୀଙ୍କ ଅଭିଯୋଗଗୁଡ଼ିକୁ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରିବା ସହ କୁଚକ୍ରୀଙ୍କ ଚକ୍ରାନ୍ତ ହେତୁ ସେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ବେଳେ ଏ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି । ଗଣେଶ ପାଣିଗ୍ରାହୀ ରିପୋର୍ଟ