ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ବିଜ୍ଞାନ ଶିକ୍ଷକ ମୁକ୍ତିକାନ୍ତ ମଲ୍ଲିକ୍ ।
ଗଜପତି,୫.୬(ମନୋଜ ପାଢ଼ୀ)-: ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂର ବିଜ୍ଞାନ ଶିକ୍ଷକ ମୁକ୍ତିକାନ୍ତ ମଲ୍ଲିକ୍ଙ୍କୁ “ପ୍ରକୃତି ବନ୍ଧୁ ପୁରସ୍କାର” ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା, ବୃକ୍ଷରୋପଣ, ସ୍ୱଚ୍ଛତା ଓ ପରିବେଶ ସଚେତନତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।ଶ୍ରୀ ମଲ୍ଲିକ୍ ଦୀର୍ଘଦିନ ଧରି ବିଦ୍ୟାଳୟ ଓ ସମାଜ ସ୍ତରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ପରିବେଶ ସଚେତନତା ରାଲି, ବିଜ୍ଞାନ ଭିତ୍ତିକ ସଚେତନତା ଅଭିଯାନ ଏବଂ ସ୍ୱଚ୍ଛ ପରିବେଶ ଗଠନ ନିମନ୍ତେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ଓ ଆଗ୍ରହ ସୃଷ୍ଟି କରିବାରେ ତାଙ୍କ ଭୂମିକା ପ୍ରଶଂସନୀୟ।ଜଣେ କର୍ତ୍ତବ୍ୟନିଷ୍ଠ ଓ ଛାତ୍ରପ୍ରିୟ ଶିକ୍ଷକ ଭାବେ ସେ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ସମ୍ମାନ ପାଇବା ପରେ ଶ୍ରୀ ମଲ୍ଲିକ୍ କହିଛନ୍ତି ଯେ, ଏହା ତାଙ୍କୁ ଆହୁରି ଉତ୍ସାହିତ କରିବ ଏବଂ ସମାଜ ପାଇଁ ଭଲ କାମ କରିବାକୁ ପ୍ରେରଣା ଯୋଗାଇବ।ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକର୍ମୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ପରିବେଶ ଦେଖାଦେଇଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
