ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ

ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ

**ବାଚସ୍ପତି ସୁରମା ପାଢ଼ୀଙ୍କୁ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବକୁ ନିମନ୍ତ୍ରଣ**

ବରଗଡ,୧୯।୧୧( ଭବାନୀ ଶଙ୍କର ପାଢ଼ୀ) ନାରୀଶିକ୍ଷାର ପ୍ରସାର ଓ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ୧୯୯୩ ମସିହାରେ ପ୍ରତିଷ୍ଠିତ ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଚଳିତ ବର୍ଷ ତା’ର ୩୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରିବାକୁ ଯାଉଛି। ଆସନ୍ତା ଡିସେମ୍ବର ୬ ତାରିଖ, ରବିବାର ଦିନ ଏହି ଉତ୍ସବ ଆୟୋଜିତ ହେବ।ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଚାଳନା କମିଟିର ତତ୍କାଳୀନ ଟ୍ରଷ୍ଟ ସଭାପତି ତଥା ବର୍ତ୍ତମାନର ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉଦ୍ୟମ ଓ ପ୍ରେରଣାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ପ୍ରଭୁ ନୃସିଂହନାଥଙ୍କ କୃପାରୁ କନ୍ଦା ଖୋଳୁ ଖୋଳୁ ପାଇଥିବା କନ୍ଧ ସମ୍ପ୍ରଦାୟର ହରି ଓ ଯମୁନା ଦମ୍ପତିଙ୍କ ନାମକୁ ଚିରସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ବିଦ୍ୟାଳୟର ନାମକରଣ ‘ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ’ କରାଯାଇଥିଲା।ଏହି ଗୌରବମୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ପକ୍ଷରୁ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା।

ବାଚସ୍ପତି ମହୋଦୟା ଏହି ନିମନ୍ତ୍ରଣକୁ ସମ୍ମାନ ଜଣାଇ ତାଙ୍କର ସଦୟ ସ୍ୱୀକୃତି ପ୍ରଦାନ କରିଥିବାରୁ ବିଦ୍ୟାଳୟ ପରିବାରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।ବାଚସ୍ପତିଙ୍କ ଯୋଗଦାନକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ପୁରାତନ ଛାତ୍ରୀ (ଆଲୁମିନି), ବର୍ତ୍ତମାନର ଛାତ୍ରୀ ତଥା ସମଗ୍ର ପାଇକମାଲ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଏହି ଉତ୍ସବ ବିଦ୍ୟାଳୟର ଗୌରବମୟ ଇତିହାସ ସହ ନାରୀଶିକ୍ଷାର ଗୁରୁତ୍ୱ ଓ ସାମାଜିକ ପ୍ରଗତିର ବାର୍ତ୍ତା ବହନ କରିବ ବୋଲି ଆଶା ପ୍ରକାଶ ପାଇଛି।