ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର

*ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର*

ସୁବର୍ଣ୍ଣପୁର, ୧୨/୦୫: ସରକାରୀ କାର୍ଯ୍ୟକୁ ଓଡ଼ିଆ ଭାଷାରେ ସମ୍ପାଦନ କରିବାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।ଶିବିରଟି ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନର ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଡ଼. ସଞ୍ଜୟ କୁମାର ପଣ୍ଡା ଓ ଡ଼. ରମେଶ ଚନ୍ଦ୍ର ମଲ୍ଲିକ ସମ୍ବଳ ବ୍ୟକ୍ତିତ୍ୱ ଭାବେ ଯୋଗଦେଇ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଡ଼. ସାହୁ କହିଥିଲେ ଯେ ଓଡ଼ିଆ ଭାଷା ଆନ୍ଦୋଳନକାରୀଙ୍କ ବହୁଦିନର ଦାବି ଏବେ ପୂରଣ ହେବାକୁ ଯାଉଛି। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ହେଲେ ସାଧାରଣ ଲୋକଙ୍କ ସହ ଶାସନ ବ୍ୟବସ୍ଥାର ସମନ୍ୱୟ ଆହୁରି ସୁଦୃଢ଼ ହେବ ବୋଲି ସେ କହିଥିଲେ। ଆମ ପିଲାମାନେ ଓଡ଼ିଆ କହିଲେ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷାରେ କାମ କରିବା ପ୍ରତି ଆଗ୍ରହ ସୃଷ୍ଟି ସହ ସଚେତନତା ବୃଦ୍ଧି ଉପରେ ଜୋର ଦିଆଯାଇଥିଲା। ବିଭିନ୍ନ ପ୍ରାୟୋଗିକ ଓ ବୈଜ୍ଞାନିକ ଶବ୍ଦର ଓଡ଼ିଆ ପ୍ରୟୋଗ ସମ୍ପର୍କିତ ପୁସ୍ତକ ବିଷୟରେ ମଧ୍ୟ ଅବଗତ କରାଯାଇଥିଲା। ଆଗାମୀଦିନରେ ଓଡ଼ିଆରେ ସରକାରୀ କାର୍ଯ୍ୟ କରିବା ସମୟରେ ଆସିପାରୁଥିବା ସମସ୍ୟା ଓ ତାହାର ସମାଧାନ ଉପରେ ମଧ୍ୟ ଆଲୋଚନା ହୋଇଥିଲା।ସୂଚନାଯୋଗ୍ୟ ଯେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଏହି କାର୍ଯ୍ୟକ୍ରମର ଅଷ୍ଟମ ଜିଲ୍ଲା ଭାବେ ଚିହ୍ନଟ ହୋଇଛି। ପରିଶେଷରେ ଜିଲ୍ଲା ସାଂସ୍କୃତିକ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ