ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ଆର , ଉଦୟଗିରି ୨୮।୩(ମନୋଜ ପାଢ଼ୀ): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା ଏବଂ ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବା ଲକ୍ଷ୍ୟରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଶୁଭାରମ୍ଭ ହୋଇଯାଇଛି। ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ବତନ୍ତ୍ର କେନ୍ଦ୍ରକୁ ଉଦଘାଟନ କରିଛନ୍ତି।ସାଧାରଣତଃ ପୋଲିସ ଓ ଥାନା ପରିବେଶକୁ ଦେଖିଲେ ଶିଶୁମାନେ ଭୟଭୀତ ହୋଇଥାନ୍ତି। ଏହି ଭୟକୁ ଦୂର କରିବା ପାଇଁ କେନ୍ଦ୍ରଟିକୁ ବେଶ ଆକର୍ଷଣୀୟ ଓ ଶିଶୁ-ଅନୁକୂଳ ଶୈଳୀରେ ନିର୍ମାଣ କରାଯାଇଛି। କେନ୍ଦ୍ରର କାନ୍ଥଗୁଡ଼ିକରେ ବିଭିନ୍ନ ପ୍ରକାରର ଚିତ୍ର ଓ ରଙ୍ଗୀନ କଳାକୃତି କରାଯାଇଛି। ଶିଶୁମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳନା ଏବଂ ସୁବିଧାଜନକ ବସିବା ସ୍ଥାନର ବ୍ୟବସ୍ଥା ହୋଇଛି। ପୋଲିସ ଏଠାରେ ଶିଶୁମାନଙ୍କ ସହ ଜଣେ ବନ୍ଧୁ ଭାବରେ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବେ।ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଫଳରେ ଶିଶୁ ନିର୍ଯାତନା, ଅପହରଣ ଏବଂ ଅନ୍ୟାନ୍ୟ ଶିଶୁ ସମ୍ବନ୍ଧୀୟ ଅପରାଧର ତଦନ୍ତରେ ବିଶେଷ ସହାୟତା ମିଳିବ। ଶିଶୁମାନେ କୌଣସି ଚାପରେ ନ ରହି ସ୍ବାଧୀନ ଭାବେ ନିଜ କଥା କହିପାରିବେ, ଯାହାଦ୍ୱାରା ସେମାନଙ୍କୁ ନ୍ୟାୟ ଦେବା ସହଜ ହେବ ବୋଲି ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଏସ୍‌ପି ଯତୀନ୍ଦ୍ର ପଣ୍ଡା, ଆର.ଉଦୟଗିରି ଏସ୍‌ଡିପିଓ (ଆଇପିଏସ୍‌) ରାକେଶ ସାହୁ, ମୋହନା ଥାନା ଅଧିକାରୀ ଓମ ନାରାୟଣ ପାତ୍ର ଏବଂ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପୋଲିସର ଏହି ଶିଶୁ-ଅଭିମୁଖୀ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି।