ଧାନ ଖଳାରେ ନିଆଁ ଲାଗି ୫୦ କ୍ୟୁଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ।ଗଜପତି ,୧୬.୧(ମନୋଜ ପାଢ଼ୀ) – ଧାନ ଖଳାରେ ନିଆଁ ଲାଗି ୫୦ କ୍ୟୁଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଗଲା, ଯାହା ବି କିଛି ବଞ୍ଚିଲା ତାହା ବିକ୍ରୟ ଯୋଗ୍ୟ ନୁହେଁ। ଘଟଣା ଘଟିଛି ଗୋସାଣୀ ବ୍ଲକ ଗାରାବନ୍ଧ ପଞ୍ଚାୟତ ଅନ୍ତର୍ଗତ କୋୟାକଣ୍ଡା ଗ୍ରାମରେ। ଭେଙ୍କଟେଶ୍ବର ଶବର ନାମକ ଜଣେ ଚାଷୀଙ୍କ ଖଳାରେ ଆଜି ଦିନ ୧୧ଟା ସମୟରେ କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁ ଲାଗିବା ଖବର ପାଇ ପାରଳାଖେମୁଣ୍ଡିରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଖଳାରେ ଥିବା ପ୍ରାୟ ୮୦ କ୍ୟୁଣ୍ଟାଲ ଧାନ ମଧ୍ୟରୁ ୫୦ କ୍ୟୁଣ୍ଟାଲ ଧାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା, କୈଣସି ମତ୍ତେ ୩୦ କ୍ୟୁଣ୍ଟାଲ ଧାନ ଉଦ୍ଧାର କରାଯାଇଛି କିନ୍ତୁ ତାହା ବି ନଷ୍ଟ ପ୍ରାୟ ବୋଲି ଜଣାପଡିଛି। ଅଭିଯୋଗ ପାଇବା ପରେ ଗାରାବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଗତବର୍ଷ ଠିକ୍ ଏହି ସମୟରେ ଉକ୍ତ ଚାଷୀଙ୍କ ଧାନ ଖଳାରେ ସମାନ ଭାବରେ ନିଆଁ ଲାଗି ବହୁ ପରିମାଣର ଅମଳ ଧାନ ଫସଲ ନଷ୍ଟ ହୋଇଥିଲା। ସେହି ସମୟରେ ମଧ୍ୟ ବିଭିନ୍ନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ, କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, କିନ୍ତୁ ଆଜି ଯାଏଁ କୈଣସି କ୍ଷତିପୂରଣ ବାବଦକୁ ସହାୟତା ମିଳିନଥିବା ବେଳେ ଆଜି ପୁଣି ସମାନ ସ୍ଥାନରେ ନିଆଁ ଲାଗିଛି। ଆଜି ଉକ୍ତ ଜମିର ଚାଷୀ ଭେଙ୍କଟେଶ୍ବର ଶବର, ଧାନ ଖଳାରୁ ସକାଳ ପ୍ରାୟ ୧୦ ଘଣ୍ଟା ୩୦ ମି ସମୟରେ ଗାଧୋଇବାକୁ ଯିବା ସମୟରେ ଖଳାରେ କେହି ନଥିବା ସୁଯୋଗ ପାଇ କେହି ଜଣେ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇ ଥିବା ଅନୁମାନ କରାଯାଉଛି। ତେବେ ଉକ୍ତ ଚାଷୀଙ୍କୁ କ୍ଷତି ପହଞ୍ଚାଇବାକୁ ଏଭଳି ଅମାନବୀୟ କାର୍ଯ୍ୟ କରାଯାଇଥିବା କୁହାଯାଉଛି। ତେବେ ଏନେଇ ଗାରାବନ୍ଧ ପୋଲିସ ତଦନ୍ତ ଆରମ୍ଭ କରିଛି।
ଧାନ ଖଳାରେ ନିଆଁ ଲାଗି ୫୦ କ୍ୟୁଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ।
