ଗଜପତିରେ ପୁଣି ଦାଦନ ଯନ୍ତ୍ରଣା….ଆନ୍ଧ୍ରପ୍ରଦେଶରେ ଗଜପତି ଶ୍ରମିକଙ୍କ ମୃତ୍ୟୁ, ମୃତଦେହକୁ ଆଣିବା ପାଇଁ ପ୍ରଶାସନକୁ ନିବେଦନ ।
ଗଜପତି 21/12 (ମନୋଜ ପାଢ଼ୀ): ଗଜପତି ଜିଲ୍ଲାରେ ପୁଣି ଦାଦନ ଯନ୍ତ୍ରଣା ଦେଖାଦେଇଛି. ଆନ୍ଧ୍ରପ୍ରଦେଶରେ ଗଜପତି ଜିଲ୍ଲାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ମୃତ ଶ୍ରମିକଙ୍କ ମୃତଦେହକୁ ଗଜପତିରେ ଥିବା ତାଙ୍କ ଗ୍ରାମକୁ ପହଞ୍ଚାଇବା ପାଇଁ ପରିବାରବର୍ଗ ଓ ଗ୍ରାମବାସୀ ପ୍ରଶାସନର ସହାୟତା ଲୋଡିଲେ. ଅର୍ଥାଭାବ ଯୋଗୁଁ ଘର ଛାଡ଼ି ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଅକାଳରେ ଜୀବନ ଯାଇଛି। ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ପରିସର ପଞ୍ଚାୟତର ୬ ନମ୍ବର ୱାର୍ଡର ସେବିକା କରାଡ଼ଙ୍କ ଏକମାତ୍ର ପୁତ୍ର ନାଥନ କରାଡ଼. ଶୁକ୍ରବାର ରାତିରେ ଆନ୍ଧ୍ରପ୍ରଦେଶ ତିରୁପତିର ସିମ୍ସ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଛି। ସେ ପ୍ରାୟ ୪ବର୍ଷ ଧରି ତିରୁପତିରେ ଦାଦନ ଖଟୁଥିଲେ | ତାଙ୍କ ମୃତଦେହ ଗତକାଲି ଠାରୁ ତିରୁପତିର ଡାକ୍ତରଖାନାରେ ରହିଛି। ଅର୍ଥାଭାବରୁ ଶବକୁ ପରିବାରବର୍ଗ ଆଣିପାରୁ ନଥିବା ବେଳେ ପ୍ରଶାସନର ସାହାଯ୍ୟ ଲୋଡ଼ିଛନ୍ତି। ସୂଚନା ପ୍ରକାରେ ନାଥନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସହଯୋଗୀମାନେ ନିକଟସ୍ଥସିମ୍ସ ମେଡିକାଲରେ ଭର୍ତ୍ତି କରିଥିଲେ |
ବିଳମ୍ବିତ ରାତି ୨ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ନାଥନଙ୍କ ମୃତ୍ୟୁ ପରେ ବିଧବା ମା’, ପତ୍ନୀ ଓ ଏକମାତ୍ର ଶିଶୁପୁତ୍ର ଏବେ ବେସାହାରା ହୋଇଯାଇଛନ୍ତି । ପରିସଲ ଗ୍ରାମରେ ଏହି ଖବର ପହଞ୍ଚିବା ପରେ ସରପଞ୍ଚ କୁମାରୀ କାର୍ଜୀଙ୍କ ସମେତ ଅଞ୍ଚଳବାସୀ ମିଶି ରା.ଉଦୟଗିରି ବିଡିଓ ଲରିମାନ ଖରସେଲଙ୍କୁ ନାଥନଙ୍କ ମୃତଦେହ ଆଣିବାରେ ପ୍ରଶାସନିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।

