ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ପ୍ରତିବାଦ ସଭା ।
ଗଜପତି -ମନୋଜ ପାଢୀ/ନୂଆଦିଲ୍ଲୀ ଠାରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ହୋଇଥିବା ଆନ୍ଦୋଳନର ୫ବର୍ଷ ପୂର୍ତ୍ତି ଅବସରରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚାର କେନ୍ଦ୍ରୀୟ କମିଟିର ନିଷ୍ପତି ଓ ରାଜ୍ୟ କମିଟିର ନିଷ୍ପତି କ୍ରମେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଓଡିଶା କୃଷକ ମୋର୍ଚ୍ଚାର ରଜ୍ୟ ସଦସ୍ୟ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରୁ ୫ଟି ସଂଗଠନର ଶତାଧିକ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ କୃଷକ ବିରୋଧି କର୍ପୋରେଟ ସପକ୍ଷବାଦୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାଲ ଦେଇଥିଲେ । ଏହାପରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଜିଲ୍ଲା ଶାଖା ତରଫରୁ ମହାମହିମ ରାଷ୍ଟ୍ରପତି ଉଦ୍ଧେଶ୍ୟରେ ୧୦ ଦଫା ସମ୍ବଳିତ ଏକ ସ୍ମାରକପତ୍ର ଗଜପତି ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିଲା ।ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ମୁନିନ୍ଦ୍ର ହୋନାଗା ସ୍ମାରକ ପତ୍ରଟି ଗ୍ରହଣ କରିଥିଲେ । ସେଥିରେ ଚାଷୀର ସମସ୍ତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ସୁନିଶ୍ଚିତ କରିବା, ଚାଷୀ ଓ ଚାଷ ବିରୋଧୀ ପ୍ରସ୍ତାବିତ ବିହନ ବିଲ୍ କୁ ପ୍ରତ୍ୟାହାର କରିବା, ଶ୍ରମିକ ବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ୪ଟି ଶ୍ରମ କୋଡ୍ ବାତିଲ କରିବା ସମେତ ୧୦ଟି ଦାବୀ ଉଲ୍ଲେଖ ରହିଛି ।ଏହି ସ୍ମାରକପତ୍ର ପ୍ରଦାନ ବେଳେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଗଜପତି ଜିଲ୍ଲା ଶାଖାର ସମ୍ପାଦକ-ଏମ.ବାଙ୍ଗାରୀ, ଏଆଇକେଏମଏସ ର ଜିଲ୍ଲା ସମ୍ପାଦକ-କେଦାର ଶବର, ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଶାନ ସଭା(ଏଆଇଏକେଏସ୍)ର ଜିଲ୍ଲା କମିଟି ସଦସ୍ୟ- ପି.ମୂରଲିକ୍ରିଷ୍ଣା, ରୟତ କୁଲି ରୟତ ସଂଘର ଜିଲ୍ଲା ସମ୍ପାଦକ- ଆର.ଲୋକନାଥମ, ଏଆଇଟିୟୁସି ର ଜିଲ୍ଲା ସଂଯୋଜକ- ନରସିଂହ ମାଳବିଶୋଇ, ଜିଲ୍ଲା କମିଟି ସଦସ୍ୟ-ଇସ୍ରାଏଲ୍ ମାଳି, ଅନୂପ ଭୂୟାଁ, ମୋହିତ ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ ।
