*୧୮ ବର୍ଷ ବିତିଲା, ତଥାପି ଅଧାପନ୍ତରିଆ ଡମ୍ବାପୁର ଜଳସେଚନ ପ୍ରକଳ୍ପ* ।
ଗଜପତି,୧୧.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଆନ୍ଧ୍ରପ୍ରଦେଶ ସରକାର ମହେନ୍ଦ୍ରତନୟା ନଦୀର ଜଳକୁ ଆନିକଟ ମାଧ୍ୟମରେ ନିଜ ରାଜ୍ୟର କୃଷକଙ୍କ ଜମିକୁ ଯୋଗାଇ କୃଷି ଓ ଅର୍ଥନୈତିକ କ୍ଷେତ୍ରରେ ସମୃଦ୍ଧି ଆଣିବାକୁ ଉଦ୍ୟମ କରୁଥିବା ବେଳେ ଗଜପତି ଜିଲ୍ଲାର ଡମ୍ବାପୁର ଜଳସେଚନ ପ୍ରକଳ୍ପ କିନ୍ତୁ ଦୀର୍ଘ ୧୮ ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ।ଫଳରେ ଏହି ପ୍ରକଳ୍ପକୁ ନେଇ ଅଞ୍ଚଳର ଚାଷୀଙ୍କ ମନରେ ରହିଥିବା ଆଶା ଓ ଆକାଂକ୍ଷା ଧୀରେ ଧୀରେ ମଉଳିବାରେ ଲାଗିଛି।୨୦୦୮ ମସିହାରେ ବହୁ ଆଶା ଓ ଉଦ୍ଦୀପନାର ସହ ଡମ୍ବାପୁର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେଲେ ଅଞ୍ଚଳର ଚାଷୀଙ୍କୁ ନିୟମିତ ଜଳସେଚନ ସୁବିଧା ମିଳିବା ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ ଏବଂ ଜଳସମ୍ପଦର ସୁପରିଚାଳନା ସମ୍ଭବ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପର କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି।ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲେ ଅଞ୍ଚଳର କୃଷି କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି ହେବା ସହ ଜଳର ସଠିକ୍ ବିନିଯୋଗ ଓ ପରିଚାଳନାରେ ଅନେକ ସୁବିଧା ମିଳିପାରିଥାନ୍ତା। ବିଶେଷକରି ଅତ୍ୟଧିକ ବର୍ଷା ସମୟରେ ଜଳ ପରିଚାଳନା କ୍ଷେତ୍ରରେ ମଧ୍ୟ ଏହା ସହାୟକ ହୋଇପାରିଥାନ୍ତା ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରୁଛନ୍ତି।ନିକଟରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି।
ଅନେକ ଚାଷଜମି, ଖଳା ଓ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ମଧ୍ୟ ଜଳମଗ୍ନ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଭଳି ସ୍ଥିତିରେ ଡମ୍ବାପୁର ଜଳସେଚନ ପ୍ରକଳ୍ପର ଅସମ୍ପୂର୍ଣ୍ଣ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।କେବଳ ଯୋଜନା ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଆଶ୍ୱାସନା ମଧ୍ୟରେ ବିକାଶ ସୀମିତ ରହିଲେ ଚାଷୀଙ୍କ ଭାଗ୍ୟ ବଦଳିବ ନାହିଁ। ଏଥିପାଇଁ ରାଜ୍ୟ ସରକାର, ଜଳସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ପ୍ରକଳ୍ପର ବର୍ତ୍ତମାନ ସ୍ଥିତିର ସମୀକ୍ଷା ଓ ଆବଶ୍ୟକ ତଦନ୍ତ କରିବା ସହ ଅବଶିଷ୍ଟ କାର୍ଯ୍ୟ ପାଇଁ ସମୟସୀମା ଧାର୍ଯ୍ୟ କରି ଏହାକୁ ଶୀଘ୍ର ସମ୍ପୂର୍ଣ୍ଣ ଓ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳର ଚାଷୀ ଓ ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବି ହେଉଛି।
