*ଜାତୀୟ ପୁରସ୍କାରରେ ସମ୍ମାନୀତ ଡ଼ଃ ମାୟାଧର ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା*
ଗଜପତି,୮.୯.(ମନୋଜ ପାଢ଼ୀ) :-ଗଜପତି ଜିଲ୍ଲାର ଶିକ୍ଷା କ୍ଷେତ୍ରକୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ମାୟାଧର ସାହୁଙ୍କୁ ପାରଳା ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବର୍ଦ୍ଧିତ ପ୍ରତିଭା ଡ଼ଃ ମାୟାଧର ସାହୁ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ.ଗିରିଧର, ରାୟଗଡ଼ ଓ ଗୋଷାଣି ବ୍ଳକର ଶିକ୍ଷା ଅଧିକାରୀ ଶ୍ରୀ ଟି.କିଶୋର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ୱାଇ.କ୍ରିଷ୍ଣ୍ଣା ରାଓ, ନାମନଗଡ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ହରିହର ଦାଶ, ବାପୁଜୀପେଣ୍ଠ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଦୋରା,ଜୀବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନାକ୍ଷୀ ପାଢୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ନୂଆଦିଲ୍ଲୀସ୍ଥିତ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରୟାସ ପାଇଁ ଡ଼ଃ ସାହୁଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଥିଲା।ବିଶେଷକରି ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ‘ପ୍ରୟାସ @ ସୁପର-୩୦’ ଭଳି ଅଭିନବ ଶୈକ୍ଷିକ ପଦକ୍ଷେପ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇବା କ୍ଷେତ୍ରରେ ଜିଲ୍ଲା ଶିକ୍ଷା ପ୍ରଶାସନର ଉଲ୍ଲେଖନୀୟ ପ୍ରୟାସ ଜାତୀୟ ସ୍ୱୀକୃତି ଲାଭ କରିଛି।ଡ଼ଃ ସାହୁଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନର ଗୁଣାତ୍ମକ ବିକାଶ ସହ ବିଭିନ୍ନ ଅଭିନବ ଶିକ୍ଷାମୂଳକ ପଦକ୍ଷେପର କାର୍ଯ୍ୟାନ୍ୱୟନ ଜାରି ରହିଛି। ଏହି ସଫଳତା ଜିଲ୍ଲାର ଶିକ୍ଷକ ସମାଜ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦର ପରିବେଶ ସୃଷ୍ଟି କରିଛି।ଏହି ଐତିହାସିକ ସଫଳତାର ସ୍ୱୀକୃତି ସ୍ୱରୂପ ଗଜପତି ଜିଲ୍ଲାର ଶିକ୍ଷକ ସମାଜ ପକ୍ଷରୁ ପାରଳା ପୌର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ଡ଼ଃ ସାହୁଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଶିକ୍ଷକ ସମାଜ ଡ଼ଃ ସାହୁଙ୍କ ନେତୃତ୍ୱ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ପ୍ରଶଂସା କରିବା ସହ ଏଭଳି ଜାତୀୟ ସମ୍ମାନ ଗଜପତି ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଫଳତା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସମୃଦ୍ଧ କରିବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନୂତନ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି। ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଲତା ମିଶ୍ର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସମସ୍ତ ଅତିଥିବୃନ୍ଦ, ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
