*୧୧ କିଲୋ ଗଞ୍ଜେଇ ଜବତ ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ଗିରଫ ।
ଗଜପତି , ୨୬.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ୧୧ କିଲୋଗ୍ରାମ ଗଞ୍ଜେଇ ଜବତ ମାମଲାରେ ପାରଳାଖେମୁଣ୍ଡି ପୋଲିସ ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ କରିଛି। ପାରଳାଖେମୁଣ୍ଡି ଥାନା କେସ୍ ନଂ ୩୩୧, ତା.୧୦.୦୮.୨୦୨୬, ଦଫା ୨୦(ବି)(ii)(ବି)/୨୯ ଏନଡିପିଏସ୍ ଆଇନ ଅନୁଯାୟୀ ଏହି ମାମଲା ରୁଜୁ ହୋଇଥିଲା।ଗତ ୧୦ ଅଗଷ୍ଟରେ ଏସ୍.ଆଇ. ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ପୋଲିସ ପାଟ୍ରୋଲିଂ ଟିମ୍ ବାଟାଗୌଡ଼ ସାହି ଛକ ନିକଟରେ ସଦାଶିବ ପାଣିଗ୍ରାହୀ (୪୫)ଙ୍କୁ ଅଟକାଇ ତାଙ୍କ ନିକଟରୁ ୧୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ସଦାଶିବଙ୍କୁ ପ୍ରଥମ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା।ପରବର୍ତ୍ତୀ ତଦନ୍ତ ସମୟରେ ଜବତ ଗଞ୍ଜେଇ ଯୋଗାଣରେ ପାରଳାଖେମୁଣ୍ଡି ସଞ୍ଜୟ ଗାନ୍ଧୀ କଲୋନୀର ସର୍ବସୁଦ୍ଧି ବାଲାଜୀ ଓରଫ ବାଲୁ (୪୫), ପିତା ସର୍ବସୁଦ୍ଧି ବାୟା ଦାଶଙ୍କ ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହାପରେ ତାଙ୍କୁ ୨୫ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା।ଗିରଫ ଅଭିଯୁକ୍ତ ସର୍ବସୁଦ୍ଧି ବାଲାଜୀ ଓରଫ ବାଲୁଙ୍କୁ ଆଜି, ୨୬ ସେପ୍ଟେମ୍ବର ୨୦୨୬ରେ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଗଞ୍ଜେଇ ସଂଗ୍ରହ ଓ ଯୋଗାଣର ସମ୍ପୂର୍ଣ୍ଣ ଶୃଙ୍ଖଳା ସହ ଏଥିରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ବାବଦରେ ପୋଲିସର ଅଧିକ ତଦନ୍ତ ଜାରି ରହିଥିବା ଆଦର୍ଶ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
