*ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ସାମ୍ବାଦିକ ଏକାଦଶ ବିଜୟୀ
ଗଜପତି,୨୭. ୮(ମନୋଜ ପାଢ଼ୀ) :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୌର ଏକାଦଶ ଓ ସାମ୍ବାଦିକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍କୁ ପାରଳା ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମୁର୍ମୁ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଭାପତି ଶ୍ରୀ ଦେବାଶିଷ ପାଢ଼ୀ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ।ଟସ୍ ଜିତି ପ୍ରଥମେ ପୌରପାଳିକା ଏକାଦଶ ବ୍ୟାଟିଂ କରିଥିଲା। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ଓ ପାରଳା ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ପଡ଼ିଆକୁ ଓହ୍ଲାଇ ଖେଳର ଶୁଭାରମ୍ଭ କରିଥିଲେ।ରାଜ୍ୟ କ୍ରିକେଟ ଆସୋସିଏସନ୍ ଦ୍ୱାରା ମାନ୍ୟତାପ୍ରାପ୍ତ ଅମ୍ପାୟର ଶ୍ରୀ ରାଜୀବ କୁମାର ପାଢ଼ୀ ଖେଳ ପରିଚାଳନା କରିଥିଲେ। ଏହି ବନ୍ଧୁତ୍ୱପୁର୍ଣ୍ଣ ମ୍ୟାଚରେ ପୌର ଏକାଦଶ ୯ ଉଇକେଟ ହରାଇ ୮୮ ରନ୍ କରିଥିବା ବେଳେ ସାମ୍ବାଦିକ ଏକାଦଶ ମାତ୍ର ଏକ ଉଈକେଟ ବିନିମୟରେ ୯୨ ରନ୍ କରି ବିଜୟ ହାସଲ କରିଥିଲେ। ସାମ୍ବାଦିକ ଏକାଦଶର ଖେଳାଳି ଞ୍ଜାନରଞ୍ଜନ ଷଡ଼ଙ୍ଗୀ ୫୦ ରନ୍ କରି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଆୟୋଜିତ ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ସମସ୍ତଙ୍କ ମଧ୍ୟରେ କ୍ରୀଡ଼ାଭାବନା, ସୌହାର୍ଦ୍ଦ୍ୟ ଓ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥିଲା।
