*ଅଜୟଗଡ ସାପ୍ତାହିକ ହାଟର ଶୁଭ ଉଦଘାଟନ କଲେ ବିଧାୟକ।
ଗଜପତି,୨୭.୮(ମନୋଜ ପାଢ଼ୀ):-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମରେ ବହୁ ପ୍ରତୀକ୍ଷିତ ସାପ୍ତାହିକ ହାଟର ଶୁଭ ଉଦଘାଟନ ମୁଖ୍ୟ ଅତିଥି ତଥା ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀଙ୍କ କରକମଳରେ ହୋଇଯାଇଛି।ଅଜୟଗଡ ଅଞ୍ଚଳରେ ଏକ ସାପ୍ତାହିକ ହାଟ ପ୍ରତିଷ୍ଠା ପାଇଁ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ହାଟ ନଥିବାରୁ ସ୍ଥାନୀୟ ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନିଜର ଉତ୍ପାଦର ବିକ୍ରି ଏବଂ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନ୍ୟ ଅଞ୍ଚଳକୁ ଯିବାକୁ ପଡୁଥିଲା।ହାଟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଦାବି ହୋଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏହା ବାସ୍ତବ ରୂପ ନେଇପାରିନଥିଲା। ଶେଷରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ ଅଜୟଗଡରେ ସାପ୍ତାହିକ ହାଟ ପ୍ରତିଷ୍ଠା ହୋଇଥିବାରୁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି।ଏହି ହାଟ ଆରମ୍ଭ ହେବା ଦ୍ୱାରା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀମାନେ ନିଜର କୃଷିଜାତ ଦ୍ରବ୍ୟ, ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ସହଜରେ ବିକ୍ରି କରିପାରିବେ। ଏଥିସହ ସ୍ଥାନୀୟ ଲୋକଙ୍କୁ ନିକଟରେ ଆବଶ୍ୟକ ସାମଗ୍ରୀ ମିଳିବା ସହ ଅଞ୍ଚଳର ଛୋଟ ବ୍ୟବସାୟୀମାନଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।ଶୁଭ ଉଦଘାଟନ ଅବସରରେ ବିଧାୟକ ଶ୍ରୀ ପାଣିଗ୍ରାହୀ ହାଟର ସୁବ୍ୟବସ୍ଥା, ପରିମଳ ଓ ଲୋକଙ୍କ ସୁବିଧା ପ୍ରତି ଗୁରୁତ୍ୱ ଦେବାକୁ ସମ୍ପୃକ୍ତ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିମାନଙ୍କୁ କହିଥିଲେ।ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେଲୀ ମଣ୍ଡଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦୁଲାରାମ ମାରାଣ୍ଡି , ଗୁମ୍ମା ବ୍ଲକ ତହସିଲଦାର ଶ୍ରୀ ଶରତ ଶବରଙ୍କ ସମେତ ବିଭିନ୍ନ ଅଧିକାରୀ ଓ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।
