ସାରଡ଼ାମାହା ଗ୍ରାମର ଯୁବକ ତାମିଲନାଡୁ ଯାଇ ଦାଦନ ଶ୍ରମିକଙ୍କ ଅକାଳ ମୃତ୍ୟୁ————————–
କନ୍ଧମାଳ , ତା.୧୯/୦୯: ( ରିପୋର୍ଟ କୁନା ଦିଗାଲ )ରୋଜଗାର ଅନ୍ୱେଷଣରେ ଘରଠାରୁ ହଜାର ହଜାର କିଲୋମିଟର ଦୂର ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲାର ଜଣେ ଯୁବ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତର ସାରଡ଼ାମାହା ଗ୍ରାମର ରାଜା ବେହେରା (୨୨)। ତାମିଲନାଡୁରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିବା ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପରିବାରର ଆର୍ଥିକ ଅବସ୍ଥାକୁ ସୁଧାରିବା ଆଶାରେ ରାଜା ଦାଦନ ଶ୍ରମିକ ଭାବେ ତାମିଲନାଡୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା ସମୟରେ କୋୖଣସି କାରଣ ରୁ ତାଙ୍କର ଅକାଳ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ରାଜାଙ୍କ ମୃତ୍ୟୁ ଖବର ତାଙ୍କ ଗାଁରେ ପହଞ୍ଚିବା ପରେ ପରିବାରବର୍ଗଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଯାଇଛି। ଜଣେ ଯୁବକଙ୍କୁ ହରାଇ ପରିବାର ଭାଙ୍ଗିପଡ଼ିଥିବା ବେଳେ ଗ୍ରାମବାସୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।ମୃତ ରାଜାଙ୍କ ଶବ ତାମିଲନାଡୁରୁ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱର ଆଣିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ନିଜ ଗାଁ ସାରଡ଼ାମାହାକୁ ଅଣାଯିବାର କାର୍ଯ୍ୟକ୍ରମ ରହିଛି। ଶବ ଗାଁରେ ପହଞ୍ଚିବା ପରେ ପରିବାରବର୍ଗ, ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର କରାଯିବ।ରାଜାଙ୍କ ଅକାଳ ମୃତ୍ୟୁ କନ୍ଧମାଳରେ ଦାଦନ ସମସ୍ୟାକୁ ପୁଣିଥରେ ସାମ୍ନାକୁ ଆଣିଛି। ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗ ନଥିବାରୁ ଅନେକ ଯୁବକ ଜୀବିକା ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଘରଠାରୁ ଦୂରରେ କାମ କରୁଥିବା ଏହି ଶ୍ରମିକମାନଙ୍କ ସୁରକ୍ଷା, ନିବନ୍ଧନ, କାର୍ଯ୍ୟସ୍ଥଳର ତଥ୍ୟ ଏବଂ ଆପତ୍କାଳୀନ ସହାୟତା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି। ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ଓ ସହାୟତା ପାଇଁ ବିଭିନ୍ନ ବ୍ୟବସ୍ଥା ରହିଥିଲେ ମଧ୍ୟ ଭୂମିସ୍ତରରେ ଏହାର ସୁଫଳ ସମସ୍ତ ଶ୍ରମିକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାହା ସନ୍ଦେହଜନକ।ଏହି ଘଟଣା ବିଷୟରେ ସ୍ଥାନୀୟ ସରକାରୀ ବିଭାଗକୁ ଜଣା ଅଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ। ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଷ୍ଣୁ ଗୋବିନ୍ଦଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ, ସେ ଫୋନ୍ ଉଠାଇ ନଥିଲେ।ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କନ୍ଧମାଳ ଭଳି ଜିଲ୍ଲାରେ ସ୍ଥାନୀୟ ରୋଜଗାର ସୃଷ୍ଟି, ଦକ୍ଷତା ବିକାଶ, କୃଷିଭିତ୍ତିକ ଶିଳ୍ପ ଓ ଛୋଟ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ଜରୁରୀ। ରାଜା ବେହେରାଙ୍କ ଅକାଳ ମୃତ୍ୟୁ ଏକ ପରିବାରକୁ ଭାଙ୍ଗି ଦେଇଥିବା ବେଳେ, ରୋଜଗାର ପାଇଁ ଆଉ କେତେ ଯୁବକଙ୍କୁ ନିଜ ଘରଠାରୁ ଦୂରକୁ ଯିବାକୁ ପଡ଼ିବ—ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
