ଶ୍ରେଷ୍ଠ ମାନବିକତା ପୁରସ୍କାର–୨୦୨୬ରେ ସମ୍ମାନିତ ହେଲା ‘ସ୍ୱାକ୍’

ଶ୍ରେଷ୍ଠ ମାନବିକତା ପୁରସ୍କାର–୨୦୨୬ରେ ସମ୍ମାନିତ ହେଲା ‘ସ୍ୱାକ୍’

ଶ୍ରେଷ୍ଠ ମାନବିକତା ପୁରସ୍କାର–୨୦୨୬ରେ ସମ୍ମାନିତ ହେଲା ‘ସ୍ୱାକ୍’

ଘୁ.ଉଦୟଗିରି/ଭୁବନେଶ୍ୱର: (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଅସହାୟ, ଦୁଃଖୀ, ଭିନ୍ନକ୍ଷମ ତଥା ଆର୍ଥିକ ଅନଗ୍ରସର ଲୋକଙ୍କ ପାଖରେ ଠିଆ ହୋଇ ନିଃସ୍ୱାର୍ଥପର ସମାଜସେବା କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ‘ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ’ (ସ୍ୱାକ୍)କୁ ମିଳିଛି ଗୌରବମୟ ସ୍ୱୀକୃତି। ସଂଗଠନକୁ ‘ଶ୍ରେଷ୍ଠ ମାନବିକତା ପୁରସ୍କାର–୨୦୨୬’ରେ ସମ୍ମାନିତ କରାଯାଇଛି।ଗତ ୧୩ ଅକ୍ଟୋବର ସନ୍ଧ୍ୟାରେ ଓଡ଼ିଶାର ଅଗ୍ରଣୀ ପାକ୍ଷିକ ସମ୍ବାଦପତ୍ର ତଥା ଡିଜିଟାଲ୍ ଚ୍ୟାନେଲ୍ ‘ପ୍ରତିଶବ୍ଦ’ର ୧୧ତମ ବାର୍ଷିକ ଉତ୍ସବ ଅବସରରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନ, ଜୟଦେବ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ମାନବିକତା, ସେବା, ସହଯୋଗ ଓ ଜନକଲ୍ୟାଣ କ୍ଷେତ୍ରରେ ‘ସ୍ୱାକ୍’ର ନିରନ୍ତର ଅବଦାନକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢାଲି ଉପସ୍ଥିତ ଥିଲେ।

ଏଥିସହ ‘ପ୍ରତିଶବ୍ଦ’ର ସମ୍ପାଦକ ଶ୍ରୀ ଜିତେନ୍ଦ୍ର କୁମାର ପତି, ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ଡଃ କାଳୀଚରଣ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗଦେଇଥିଲେ।ଏହି ଗୌରବମୟ ଅବସରରେ ‘ସ୍ୱାକ୍’ର ଉପଦେଷ୍ଟା ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୋଲକ ଚନ୍ଦ୍ର ପଟ୍ଟନାୟକ, ଶ୍ରୀ ସମୀର କୁମାର ପାଢ଼ୀ, ସଭାପତି ଶ୍ରୀ ଅମନ ଚନ୍ଦ୍ର ନାୟକ, ସମ୍ପାଦକ ଶ୍ରୀ ହୃଷୀକେଶ ପ୍ରଧାନ, ଉପସଭାନେତ୍ରୀ ଶ୍ରୀମତୀ ସସ୍ମିତା ମଲ୍ଲିକ, କୋଷାଧ୍ୟକ୍ଷ ଶ୍ରୀ ସାମନ୍ତ ଶେଖର ନାୟକ ଏବଂ ସଦସ୍ୟ ଶ୍ରୀମତୀ ମିନାକ୍ଷୀ ପ୍ରଧାନ, ଶ୍ରୀ ମିହିରକାନ୍ତ ଦିଗାଲ ଓ ଶ୍ରୀ ମନୋଜ କୁମାର ଦିଗାଲ ଉପସ୍ଥିତ ରହି ସଂଗଠନ ପକ୍ଷରୁ ପୁରସ୍କାର ଗ୍ରହଣ କରିଥିଲେ।ଏହି ସମ୍ମାନ ‘ସ୍ୱାକ୍’ ପରିବାର ପାଇଁ କେବଳ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ ନୁହେଁ, ବରଂ ଆଗାମୀ ଦିନରେ ଅଧିକ ନିଷ୍ଠା, ଦାୟିତ୍ୱ ଓ ସମର୍ପଣର ସହ ସମାଜସେବା କରିବା ପାଇଁ ଏକ ନୂତନ ପ୍ରେରଣା। ସଂଗଠନର ଏହି ସଫଳତା ପଛରେ ରହିଛି ଜନସାଧାରଣଙ୍କ ଅକୁଣ୍ଠ ସ୍ନେହ, ଶ୍ରଦ୍ଧା, ଭଲପାଇବା, ଆଶୀର୍ବାଦ ଓ ସହଯୋଗ।‘ସ୍ୱାକ୍’ ପରିବାର ପକ୍ଷରୁ କୁହାଯାଇଛି ଯେ, “ଏହି ସମ୍ମାନ କେବଳ ଆମର ନୁହେଁ, ଏହା ଆମକୁ ଭଲପାଉଥିବା, ଆମ ଉପରେ ବିଶ୍ୱାସ ରଖୁଥିବା ଏବଂ ସମାଜସେବାର ପ୍ରତ୍ୟେକ ପଦକ୍ଷେପରେ ଆମ ସହ ଠିଆ ହେଉଥିବା ପ୍ରତ୍ୟେକ ଶୁଭେଚ୍ଛୁ ଓ ସହଯୋଗୀଙ୍କର।”ସଂଗଠନର ମତରେ, ଜନସାଧାରଣଙ୍କ ବିଶ୍ୱାସ ଆଗକୁ ବଢ଼ିବା ପାଇଁ ସାହସ ଦିଏ, ଆଶୀର୍ବାଦ ଅସହାୟଙ୍କ ପାଖରେ ଠିଆ ହେବାକୁ ପ୍ରେରଣା ଯୋଗାଏ ଏବଂ ଭଲପାଇବା ସେବାର ପଥକୁ ଅଧିକ ସୁଦୃଢ଼ କରେ। କାରଣ, ମଣିଷ ପାଇଁ ମଣିଷ ହିଁ ସବୁଠାରୁ ବଡ଼ ସମ୍ପଦ।“ସେବା ହିଁ ଆମର ସଂକଳ୍ପ, ମାନବିକତା ହିଁ ଆମର ପରିଚୟ।” ଏହି ମୂଳମନ୍ତ୍ରକୁ ଆଧାର କରି ‘ସ୍ୱାକ୍’ ପରିବାର ଆଗାମୀ ଦିନରେ ମଧ୍ୟ କନ୍ଧମାଳର ଅସହାୟ ଓ ଅବହେଳିତ ଲୋକଙ୍କ ମୁହଁରେ ହସ ଫୁଟାଇବା ସହ ସମାଜରେ ସହଯୋଗ, ସମ୍ବେଦନଶୀଳତା ଓ ମାନବିକତାର ବାର୍ତ୍ତା ପହଞ୍ଚାଇବାକୁ ପ୍ରତିବଦ୍ଧ।