ଶ୍ରୀଅରବିନ୍ଦ ପାଠଚକ୍ରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ, ପରିବାରରେ ଆଧ୍ୟାତ୍ମିକ ପରିବେଶ ପାଇଁ ଘରେ ଘରେ ପାଠଚକ୍ରର ଆହ୍ୱାନ
ଭୀମପଡ଼ା, ୨୮ ଜୁନ: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଦଳେଇସାହି ଗ୍ରାମପଞ୍ଚାୟତର ମାଣିକାଗୋଡ଼ା ଗ୍ରାମସ୍ଥିତ ଭାଗବତୀ ଛକର ତିନିସାହି ଭାଗବତ କୋଠଘର ସଭାଗୃହରେ ଶ୍ରୀଅରବିନ୍ଦ ମହିଳା ପାଠଚକ୍ରର ପ୍ରଥମ ବାର୍ଷିକ ସମ୍ମିଳନୀ ଓ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି।ବୋଲଗଡ଼ ବ୍ଲକ ଆବାହକ ବିଶ୍ୱଜିତ ମହାପାତ୍ରଙ୍କ ଆବାହକତ୍ୱ ଏବଂ ମାଣିକାଗୋଡ଼ା ଶ୍ରୀଅରବିନ୍ଦ ପାଠଚକ୍ରର ପଞ୍ଚାୟତ ଆବାହକ ମଧୁସୂଦନ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁରେନ୍ଦ୍ରନାଥ ଜେନା, ଯୁବ ସଂଯୋଜକ ସୂର୍ଯ୍ୟକାନ୍ତ ମହାରଣା, ଶ୍ରୀଅରବିନ୍ଦ ଶିକ୍ଷା ଓ ଗବେଷଣା ପରିଷଦର ଜିଲ୍ଲା ଆବାହକ ଉତ୍ତମ କୁମାର ପାଇକରାୟ, ବାଣପୁର ବ୍ଲକ ଆବାହକ ପ୍ରକାଶ କୁମାର ମହାପାତ୍ର, ଜ୍ଞାନରଞ୍ଜନ ଶତପଥୀ, ଆଲୋକ ଚନ୍ଦ୍ର ଛୋଟରାୟ ଏବଂ ଅକ୍ଷୟ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ଆରମ୍ଭରେ ଦିବ୍ୟଜନନୀ ଶ୍ରୀମା’ଙ୍କ ଯନ୍ତ୍ର ସଙ୍ଗୀତ ସହ ଧ୍ୟାନ, ଦୁର୍ଗାସ୍ତୋତ୍ର ଓ ‘ମା’ ପୁସ୍ତକର ତୃତୀୟ ଅଧ୍ୟାୟ ପାଠ କରାଯାଇଥିଲା। ବୋଲଗଡ଼ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷା ଅରୋସ୍ମିତା ସାହୁ ‘ସାବିତ୍ରୀ’ ଗ୍ରନ୍ଥ ପାଠ କରିଥିଲେ।ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ପରିବାରରେ ଶାନ୍ତି, ସଦ୍ଭାବ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଘରେ ଘରେ ଶ୍ରୀଅରବିନ୍ଦ ପାଠଚକ୍ର ଏବଂ ସାଧନା କେନ୍ଦ୍ର ଗଠନ କରିବା ନିହାତି ଆବଶ୍ୟକ। ଶ୍ରୀମା’ ଓ ଶ୍ରୀଅରବିନ୍ଦଙ୍କ ବାର୍ତ୍ତାକୁ ପ୍ରତ୍ୟେକ ପରିବାରରେ ପହଞ୍ଚାଇବା ମାଧ୍ୟମରେ ସମାଜରେ ସକାରାତ୍ମକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକତାର ବିକାଶ ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।ଏହି ସମ୍ମିଳନୀରେ ବୋଲଗଡ଼ ବ୍ଲକର ଶତାଧିକ ମହିଳା ଅଂଶଗ୍ରହଣ କରିଥିଲେ। ଅଖିଳ ସୁନ୍ଦରାୟ, ଆରତବନ୍ଧୁ ପ୍ରଧାନ, କର୍ପୂର ସାହୁ, ପୁଷ୍ପରଞ୍ଜନ ବିଶ୍ୱାଳ ଓ ଶ୍ରୀଅରବିନ୍ଦ ମହିଳା ପାଠଚକ୍ରର ସଂଯୋଜିକା ଶାନ୍ତିଲତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉତ୍ତମ କୁମାର ପାଇକରାୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
