ଲଗାଣ ବର୍ଷାରେ ଭୁଶୁଡ଼ିଲା ଘରଝଡ଼ ବର୍ଷା ମଧ୍ୟରେ ଆଶ୍ରୟ ପାଇଁ ବୃଦ୍ଧା ମା’ଙ୍କ ଦୁର୍ଦ୍ଦଶା ବଢ଼ିଲା
କନ୍ଧମାଳ, ତା. ୨୩/୦୯ (ରିପୋର୍ଟ–କୁନା ଦିଗାଲ): ଲଗାଣ ବର୍ଷା ଯୋଗୁଁ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ସଲପଗାଁ ଗ୍ରାମର ରଜବତୀ ପ୍ରଧାନଙ୍କ ଚାଳଛପର ଘର ଭୁଶୁଡ଼ି ପଡ଼ିଛି। ଘରଟି ଭାଙ୍ଗିଯିବା ପରେ ଏହି ଝଡ଼ବର୍ଷା ମଧ୍ୟରେ ବୃଦ୍ଧା ମା’ଙ୍କ ପାଇଁ ରାତି କାଟିବା ଓ ରହିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଘଟଣାଟି ସକାଳ ୮ ସମୟରେ ଘଟିଥିଲା। ରଜବତୀ ପ୍ରଧାନ ଘର ବାହାରେ ବାସନକୁସନ ସଫା କରୁଥିବା ସମୟରେ ହଠାତ୍ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥଗୁଡ଼ିକ ଦୁର୍ବଳ ହୋଇପଡ଼ିଥିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି।ଘର ଭାଙ୍ଗିଯିବା ପରେ ବୃଦ୍ଧା ରଜବତୀ ପ୍ରଧାନ ନିଜର ଅସୁବିଧା ସମ୍ପର୍କରେ ବ୍ଲକ୍ ପ୍ରଶାସନ, ସ୍ଥାନୀୟ ସରପଞ୍ଚ ଓ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଅବଗତ କରାଇଛନ୍ତି।ଏହି ଘଟଣାରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରି ବୃଦ୍ଧାଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ତାଙ୍କୁ ଶୀଘ୍ର ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।ବର୍ଷା ଦିନରେ ମୁଣ୍ଡ ଗୁଞ୍ଜିବାକୁ ଘର ନଥିବାରୁ ରଜବତୀଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି। ତେଣୁ ମାନବିକତାର ଦୃଷ୍ଟିରୁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ତାଙ୍କ ପାଇଁ ଏକ ନୂତନ ଆବାସ ଯୋଗାଇଦେବା ସହ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
