ବିଧାୟକ ଗସ୍ତ କଲେ ତାଲାସିଂ ଗ୍ରାମସମସ୍ୟା ବୁଝିଲେ, ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଲେ ବିଧାୟକ ।
ଗଜପତି,୨୫.୮(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ପଞ୍ଚାୟତର ତାଲାସିଂ ଗ୍ରାମକୁ ମଙ୍ଗଳବାର ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀ ଗସ୍ତ କରି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ବୁଝିଛନ୍ତି।ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ତାଲାସିଂ ଗ୍ରାମରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଗ୍ରାମର ଚାରିପାଖ ଗଛଲତା ଓ ବନଜଙ୍ଗଲରେ ପରିପୂର୍ଣ୍ଣ। ତେବେ ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା, ପାନୀୟ ଜଳ ଓ ବିଜୁଳି।ବିଧାୟକ ଗ୍ରାମରେ ପହଞ୍ଚି ମୁଖ୍ୟ ରାସ୍ତା ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପାଣି ସମସ୍ୟାର ସମାଧାନ ପାଇଁ ନିଜ ବିଧାୟକ ପାଣ୍ଠିରୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମର ରାସ୍ତା ସମସ୍ୟାର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ସେ ଆଶ୍ୱାସନ ଦେଇଥିଲେ।ପରିବେଶ ସୁରକ୍ଷା ଉପରେ ମଧ୍ୟ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ଗ୍ରାମବାସୀଙ୍କୁ ଗଛ ଯୋଗାଇଦେବା ସହ ସେଗୁଡ଼ିକୁ ବନାଞ୍ଚଳରେ ରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ପାହାଡ଼ିଆ ଅଞ୍ଚଳରେ ବର୍ଷାଦିନରେ ମାଟି ଧସିବା ଭଳି ସମସ୍ୟାକୁ ରୋକିବାରେ ସହାୟତା ମିଳିବ ବୋଲି ସେ କହିଥିଲେ।ଏହି ଅବସରରେ ଗ୍ରାମର ସମିତି ସଭ୍ୟ ବୁଲୁ ରଇତ, କପିଲ, ସିୟୋଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।
