**ପ୍ରତିକୂଳ ପାଗରେ ଗର୍ଭବତୀ ମା’ ମାନଙ୍କୁ ସହାୟତାର ହାତ ବଢାଇଲେ ସ୍ୱେଚ୍ଛାସେବୀ ସଂଗଠନ ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ)୨୪/୯:- ଗଜପତି ଜିଲ୍ଲାରେ ପ୍ରତିକୂଳ ପାଗ ଓ ବାତ୍ୟା ଆଶଙ୍କା ମଧ୍ୟରେ ଗର୍ଭବତୀ ମା’ମାନଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଏହି ସମୟରେ କିଛି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମା’ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣି ରଖିବାର ଉଦ୍ୟମ କରିଥିଲେ।ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସ୍ଡବ୍ଲ୍ୟୁଡବ୍ଲ୍ୟୁଏସ୍. ପକ୍ଷରୁ ରାୟଗଡ଼ ବ୍ଲକର ବିଭିନ୍ନ ଦୁର୍ଗମ ଗ୍ରାମରୁ ଗର୍ଭବତୀ ମା’ମାନଙ୍କୁ ନିଜସ୍ୱ ପରିବହନ ବ୍ୟବସ୍ଥାରେ ଡମ୍ବାପୁରସ୍ଥିତ ‘ମା’ ଗୃହକୁ ଅଣାଯାଇଥିଲା।ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜଲାଙ୍ଗ, ଅମେଡା, କରଡାସିଂ ଓ ଗଣ୍ଡାହାତୀ ଅଞ୍ଚଳରୁ ମୋଟ ୧୦ ଜଣ ଗର୍ଭବତୀ ମା’ଙ୍କୁ ଆଣି ସୁରକ୍ଷିତ ଭାବେ ‘ମା’ ଗୃହରେ ରଖାଯାଇଛି। ଏଥିପାଇଁ ଡମ୍ବାପୁରର କର୍ମୀମାନେ ଦୁର୍ଗମ ଅଞ୍ଚଳକୁ ଯାଇ ବିଶେଷ ପ୍ରୟାସ କରିଥିଲେ।ସେହିପରି ଆର୍.ଉଦୟଗିରି ବ୍ଲକର ଡେରବା ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଶିଆଳିଲଟି ଏସ୍ଏସ୍ଡି ହାଇସ୍କୁଲରେ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।ଅନ୍ୟପକ୍ଷରେ ନୂଆଗଡ଼ ବ୍ଲକର ପିସ୍ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ଖଜୁରିପଦା ‘ମା’ ଗୃହରେ ନିକଟସ୍ଥ ଦୁର୍ଗମ ଗ୍ରାମଗୁଡ଼ିକରୁ ଗର୍ଭବତୀ ମା’ମାନଙ୍କୁ ଆଣି ସୁରକ୍ଷିତ ଭାବେ ରଖାଯାଇଛି।ଉଭୟ ସଂଗଠନ ପକ୍ଷରୁ ଆଶ୍ରୟ ନେଇଥିବା ମହିଳାମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ସୁବନ୍ଦୋବସ୍ତ କରାଯାଇଛି। ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ନିୟମିତ ଯୋଗାଯୋଗ ରଖାଯାଇ ସେମାନଙ୍କର ଆବଶ୍ୟକ ଚିକିତ୍ସା ଓ ଯତ୍ନ ନିଆଯାଉଛି।ଏହି କେନ୍ଦ୍ର ଗୁଡିକୁ ଗଜପତି ଜିଲ୍ଲାର ସିଡିଏମ୍ଓ ଓ ଡିପିଏମ୍ ପରିଦର୍ଶନ କରି ଗର୍ଭବତୀ ମା’ମାନଙ୍କର ସୁରକ୍ଷା ସମେତ ଚିକିତ୍ସା ଓ ଯତ୍ନ ବ୍ୟବସ୍ଥାର ତଦାରଖ କରିଥିବା ଜଣାପଡ଼ିଛି।ପ୍ରତିକୂଳ ପାଗ ସମୟରେ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମା’ମାନଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ଆଣିବା ଭଳି ପଦକ୍ଷେପକୁ ସ୍ଥାନୀୟ ମହଲରେ ସ୍ୱାଗତ କରାଯାଇଛି।ସେହିପରି ନୂଆଗଡ ବ୍ଲକର ପିସ୍ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଖଜୁରିପଦା ମା ଗୃହଠାରେ ନିକଟସ୍ଥ ଦୂର୍ଗମ ଗ୍ରାମରୁ ଗର୍ଭବତୀ ମା ମାନଙ୍କୁ ଆଣି ରଖାଯାଇଛି।ସେହିଭଳି ଏହି ସଂଗଠନ ଦ୍ୱାରା ମୋହନା ବ୍ଲକର ଦୂରଦୂରାନ୍ତ ଗ୍ରାମ ଯଥା:- ଜାମୁଗଣ୍ଡା,କେ.ପାଣିଗଣ୍ଡା, କର୍ଚ୍ଚାବାଡି,ଦମାଦୁଆ,କଟାମା, ଶିକୁଳିପଦର ଏବଂ ଧାନାପଦାରୁ ମଧ୍ୟ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ ଥିବା ମା ଗୃହକୁ ୧୦ ଜଣ ମା ଙ୍କୁ ଆଣି ରଖାଯାଇଥିବା ଜଣାପଡିଛି।ଉଭୟ ସଂଗଠନ ଦ୍ୱାରା ସେହି ମହିଳାମାନଙ୍କ ପାଇଁ ରହିବା ଓ ଖାଇବାର ସୁବନ୍ଦୋବସ୍ତ କରାଯାଇଛି।
