ପାରଳାଖେମୁଣ୍ଡି ବାଇପାସ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଜନଶୁଣାଣୀ ।
ଗଜପତି,୨୭.୪(ମନୋଜ ପାଢ଼ୀ)-: ଆଜି ଝାମୀ ପଞ୍ଚାୟତ କାର୍ଯ୍ୟାଳୟରେ ପାରଳାଖେମୁଣ୍ଡି ବାଇପାସ ଜମି ଅଧିଗ୍ରହଣ ସମ୍ବଦ୍ଧିୟ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ସହର ଦିନକୁଦିନ ଟ୍ରାଫିକ ସମସ୍ୟାରେ କବଳିତ ହେଉଥିବାବେଳେ ସହରବାସୀଙ୍କ ଦାବି ଅନୁସାରେ ସରକାର ଅରୁନ ଗ୍ରାମ ବିକାଶ ପ୍ରତିଷ୍ଠାନ ଦ୍ୱାରା ୪. ୨ କି.ମି ରାସ୍ତା ସର୍ଭେ କରି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଜମି ଅଧିଗ୍ରହଣରେ ସାତଗୋଟି ମୌଜାର ପ୍ରାୟ ୩୩ ଏକର ଜମି ଅଧିଗ୍ରହଣ ହେଉଥିବାବେଳେ ଗୁମ୍ମା ବ୍ଲକର ଝାମୀ ଓ ବେତାଗୁଡା ମୌଜାର ୧୫ ଏକରରୁ ଅଧିକ ଜମି ଅଧିଗ୍ରହଣ କରାଯିବ। ତେଣୁ ଆଜି ଦୁଇ ମୌଜାର ଅଧିଗ୍ରହଣ ହେଉଥିବା ଜମି ମାଲିକ ମାନଙ୍କୁନେଇ ସେମାନଙ୍କ ମତାମତ ଏବଂ ସରକାରଙ୍କ ଜମି ଅଧିଗ୍ରହଣର ନିୟମ ସଚେତନ ନିମନ୍ତେ ଝାମୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣି ରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଭିଷେକ ସେଠି, ସ୍ଥାନୀୟ ସରପଞ୍ଚ, ସର୍ଭେ ସଂସ୍ଥାର ମନରଞ୍ଜନ ମିଶ୍ର ଉପସ୍ଥିତ ଥିଲେ। ପ୍ରଥମେ ସାଧାରଣ ଜନତାଙ୍କ ମତାମତ ଗ୍ରହଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସାଧାରଣ ଜନତାଙ୍କସମସ୍ୟା ଗୁଡ଼ିକୁ ନେଇ ଜ୍ଞାନ ରଞ୍ଜନ ଜେନା ଓ ଭାରତ ଭୂଷଣ ମହାନ୍ତି ନିଜ ନିଜ ମତାମତ ରଖିବା ସହ ଉପସ୍ଥାପନ କରାଯାଇଥିବା ବିଷୟବସ୍ତୁକୁ କମିଟି ଜରିଆରେ ସରକାରଙ୍କୁ ଅବଗତ କରିବାପାଇଁ ଅନୁରୋଧ କରିଥିଲେ। ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସରକାରଙ୍କ ଜମି ଅଧିଗ୍ରହଣ ପାଇଁ ଯାହା ନୀତିନିୟମ ରହିଛି ତାହା ସବୁ ଉପସ୍ଥିତ ପ୍ରତ୍ୟେକଙ୍କୁ ଅବଗତ କରିଥିଲେ ।
