ନାଥମାରେ ଶ୍ରୀ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନାଥମାରେ ଶ୍ରୀ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ନାଥମାରେ ଶ୍ରୀ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼(info media) ରାୟଗଡ ବ୍ଲକ ତାଡମା ପଞ୍ଚାୟତ ଅଧୀନ ନାଥମା ଗ୍ରାମ ସ୍ଥିତ ଶ୍ରୀ ସୀତାରାମ ମନ୍ଦିର ପରିସରରେ ଭକ୍ତିମୟ ପରିବେଶରେ ଶ୍ରୀ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୋଗୀ ଶ୍ରୀ ଚୈତନ୍ୟ ରାମ୍ ଜୀଙ୍କ ଦିବ୍ୟ ସାନ୍ନିଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତମାନେ ଯୋଗଦେଇ ଗୁରୁଦେବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଗୁରୁଜୀ ପୂଜା ମହାପାତ୍ର ଓ ଗୁରୁଜୀ ଦାଲନାଙ୍କ ପ୍ରତି ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଗୁରୁ ପୂଜା, ଭଜନ-କୀର୍ତ୍ତନ, ପ୍ରାର୍ଥନା ଓ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଯୋଗୀ ଶ୍ରୀ ଚୈତନ୍ୟ ରାମ୍ ଜୀ ନିଜ ବକ୍ତବ୍ୟରେ ଗୁରୁଙ୍କ ମହିମା, ସନାତନ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରାର ଗୁରୁତ୍ୱ ଏବଂ ମାନବ ଜୀବନରେ ସଦାଚାର, ସେବା ଓ ଆଧ୍ୟାତ୍ମିକତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଗୁରୁଙ୍କ ମାର୍ଗଦର୍ଶନ ମଣିଷକୁ ସତ୍ୟ, ଶାନ୍ତି ଓ ଆତ୍ମଜ୍ଞାନର ପଥରେ ଅଗ୍ରସର କରାଇଥାଏ। ନାମାମୃତ, ପ୍ରେମାମୃତ ଓ କଥାମୃତର ସାରାଂଶକୁ ସେ ସରଳ ଓ ସୁବୋଧ ଭାଷାରେ ଉପସ୍ଥାପନ କରି ଉପସ୍ଥିତ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଜୀବନଯାପନ ପାଇଁ ପ୍ରେରଣା ଦେଇଥିଲେ। ଶ୍ରୀ ସୀତାରାମ ମନ୍ଦିର ପରିଚାଳନା କମିଟିର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଲନା ସାରାକା, ହଳଧର କାଡ୍ରାକା, ଅନାଦି ପଡିକା, ଶୁକଦେବ ସାରାକା, ଗୋବିନ୍ଦ ହିମିରିକା, ତିଲେ କାଡ୍ରାକା ଓ ଦମୟନ୍ତୀ ସାରାକାଙ୍କ ସମେତ ମୁଖ୍ୟ ଅତିଥି ଭାବେ ଜି. ଚିନାମ୍ ନାଇଡୁ, କେ. ରାମବାବୁ, ଯୁଧିଷ୍ଠିର ପ୍ରଧାନ ଓ କାଳିଆ ପିର୍ବାକା ପ୍ରମୁଖ ଯୋଗଦେଇ ଗୁରୁ ପରମ୍ପରାର ଆଶୀର୍ବାଦ ଗ୍ରହଣ କରିଥିଲେ। ଶେଷରେ ସମସ୍ତ ଭକ୍ତଙ୍କ ମଧ୍ୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଭକ୍ତି, ଶୃଙ୍ଖଳା ଓ ଆଧ୍ୟାତ୍ମିକ ଉତ୍ସାହର ସହ ସଫଳତାର ସହ ସମ୍ପନ୍ନ ହୋଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ