ତପ୍ତପାଣି ଘାଟି ରାସ୍ତାରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ
ଗଜପତି,୩୦ା୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ତପ୍ତପାଣି ଘାଟି ରାସ୍ତାରେ ଗାଡ଼ି ଚଳାଚଳ ଶୁକ୍ରବାର ସ୍ବାଭାବିକ ହୋଇଛି। ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ ନଂ. ଜାତୀୟ ରାଜପଥ ତପ୍ତପାଣି ଘାଟିର ବେଲଗଡ ଗାଁ ନିକଟ କଲଭର୍ଟ ପାହାଡରୁ ଆସୁଥିବା ପାଣିରେ ଭାସି ଯାଇଥିଲା। ପ୍ରାୟ ୨୦ ଫୁଟ ରାସ୍ତା ସମ୍ପୂର୍ଣ୍ଣ ଧସିଯିବାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ପୋଲିସ ପ୍ରଶାସନ ପକ୍ଷରୁ ରାସ୍ତାର ଉଭୟ କଡ଼ରେ ଅସ୍ଥାୟୀ ବାରିକେଡ କରାଯାଇ ରାସ୍ତାକୁ ସିଲ କରାଯାଇଥିବା ବ୍ରହ୍ମପୁରଠାରୁ ଭାୟା ଦିଗପହଣ୍ଡି ଦେଇ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର, କୋରାପୁଟ, କଳାହାଣ୍ଡି, ମାଲିକାନଗିରି ଜିଲା ସମେତ ପଡୋଶୀ ଆନ୍ଧ୍ର, ଛତିଶଗଡ଼, ତେଲଙ୍ଗାନା, ମଧ୍ୟପ୍ରଦେଶକୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଶୁକ୍ରବାର ସକାଳେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ କର୍ମଚାରୀ ସେଠାରେ ଉପସ୍ଥିତ ରହି ରାସ୍ତା ମରାମତି କରିବାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବା ଜଣାପଡିଛି।ଅନ୍ୟପକ୍ଷରେ ଗୁରୁବାର ରାତିରେ ପ୍ରବଳ ବର୍ଷା ହେବାରୁ ଏହି ରାସ୍ତାର ତପ୍ତପାଣି, କାଳିବୋରେଇ, ଛେଦନଇ, ପାଳୁଖଳା ଗାଁ ନିକଟ ରାସ୍ତାକଡରେ ଥିବା ଧାଙ୍ଗିଡି ପାହାଡ଼ରେ ଭୂ-ସ୍ଖଳନ ହୋଇ ଗୋଟିଏ ଗୋଟିଏ ସ୍ଥାନରେ ପାହାଡ ଧସି ପାହାଡ଼ରୁ ୩ ଫୁଟ ଉଚ୍ଚରେ ପାଣି ରାସ୍ତାରେ ପ୍ରବାହିତ ହେଉଥିଲା। ରାସ୍ତାକଡର ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିରହିଥିଲା। ବ୍ରହ୍ମପୁରସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟ ସାନଖେମୁଣ୍ଡି ଅଗ୍ନିଶମବାହିନୀ ଓ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପି.କେ. ବାଲିକାନା ଘଟଣାସ୍ଥଳରେ ପହଞ୍ଚି କିଛି ମାତ୍ରାରେ ରାସ୍ତା ସଫା କରିଥିଲେ। ଏବେ ସୁଦ୍ଧା ରାସ୍ତାର ଉଭୟ ପାର୍ଶ୍ୱରେ ପଥର ଓ ପାହାଡ଼ର ମାଟି ପଡିରହିଛି। ରାଜପଥ ବିଭାଗ ପକ୍ଷରୁ ଏହାକୁ ସଫାକରିବା ଲାଗି ଉଦ୍ୟମ ଜାରି ରହିଛି।
