ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା

ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା

*ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା**ଆଜୀବନ କାରାଦଣ୍ଡ ଭୋଗିବେ ପତ୍ନୀହନ୍ତା ସ୍ୱାମୀ* ଗଜପତି,୧୭.୮(ମନୋଜ ପାଢ଼ୀ)-: ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨ ମସିହାରେ ଗଜପତି ଜିଲ୍ଲାର କୁଡିଙ୍ଗଡ଼ା ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ; ଯେଉଁଥିରେ ଝିଅର ଚିକିତ୍ସା ଅବହେଳାକୁ ନେଇ ଆରମ୍ଭ ହୋଇଥିବା ବଚସାରୁ ନିଜ ପତ୍ନୀକୁ ହତ୍ୟା କରିଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମାନ୍ୟବର ଜିଲ୍ଲା ସେସନ ଜଜ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ ଅନୁସାରେ ସେରଙ୍ଗ ଥାନା ଅନ୍ତର୍ଗତ କୁଡିଙ୍ଗଡ଼ା ଗ୍ରାମ ନିବାସୀ ଅଭିଯୁକ୍ତ ଇଲାମ ଦଳବେହେରା (୬୨ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜୋରିମାନା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଆହୁରି ଛଅମାସ କାରାଦଣ୍ଡ ଭୋଗ କରିବେ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲା ପରିଚାଳନା କରୁଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ଏହି ମାମଲାରେ ଯଥାର୍ଥ ସହାୟତା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ, ତା ୨୩-୧୦-୨୦୨୨ରିଖ ଦିନ ସକାଳ ୯ଘଟିକା ସମୟରେ ଯେତେବେଳେ ଏତଲାକାରିଣୀ ଝିଅ ଜିନନ୍ତି ଦଳବେହେରା (୨୦ବର୍ଷ)ଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟକୁ ନେବା ପାଇଁ ମୃତକ ମାଆ ବୁଢ଼ୀ ଦଳବେହେରା ଅଭିଯୁକ୍ତ ସ୍ୱାମୀ ଇଲାମ ଦଳବେହେରାଙ୍କୁ ଅନୁରୋଧ କରିଥିଲେ, ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତଜଣଙ୍କ ତାଙ୍କ ସ୍ତ୍ରୀଙ୍କ ସହ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ। ପରେ ଅଭିଯୁକ୍ତଜଣଙ୍କ ରାଗିକି ନିଜ ସ୍ତ୍ରୀଙ୍କୁ ଘର ଠାରୁ ରାସ୍ତା ପର୍ଯ୍ୟନ୍ତ ହାତରେ ମାରି ମାରି ନେଇ ଯାଇଥିଲେ ଓ ପରେ ସେ ଧରିଥିବା ଡାଉଲି (କାତି)ରେ ସ୍ତ୍ରୀଙ୍କର ବେକକୁ କାଟି ଦେଇଥିଲେ। ଘଟଣାସ୍ଥଳରେ ପ୍ରବଳ ରକ୍ତସ୍ରାବ ହେତୁ ସେଇ ସ୍ଥାନରେ ସ୍ତ୍ରୀ ବୁଢ଼ୀ ଦଳବେହେରାଙ୍କର ପ୍ରାଣ ଚାଲିଯାଇଥିଲା। ପରେ କାତିଟିକୁ ସେଠାରେ ଫୋପାଡ଼ି ଦେଇ ଅଭିଯୁକ୍ତ କାତିର ଖୋଳ ନିଜ ସହ ନେଇ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ପରେ ଏତଲାକାରିଣୀ ଓ ତାଙ୍କ ଭାଇ ଆକାଶ ଦଳବେହେରା ମୃତକ ମାଆଙ୍କୁ ଘର ବାରଣ୍ଡାଙ୍କୁ ଆଣିବା ପରେ ବାକି ଚର୍ଚ୍ଚରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଆସିଥିଲେ। ଏହା ପରେ ସେହି ଦିନ ଅଭିଯୁକ୍ତ ବାପାଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲାକାରିଣୀ ଝିଅ ଏକ ସଙ୍ଗିନ ମାମଲା ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୮୫/୨୨ରେ ପଞ୍ଜିକୃତ ହୋଇଥିଲା। ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ଇନ୍ସପେକ୍ଟର ଅଶୋକ କୁମାର ହାନ୍ସଦା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୧୨ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୨୫ ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି।