ଗଞ୍ଜାମ ଜିଲ୍ଲା ଆସିକା ଚିନିଶିଳ୍ପରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ଦଶକୋଟି ନିଶାମୁକ୍ତି ପ୍ରତିଜ୍ଞା:ନିଶାମୁକ୍ତ ଭାରତ ଗଠନରେ କର୍ମଚାରୀଙ୍କ ଦୃଢ଼ ସଂକଳ୍ପ l
ଆସିକା:( ୧୩/୮/୨୬ )ନିଶାମୁକ୍ତ ଭାରତ ଗଠନ ଏବଂ ବିକଶିତ ଭାରତର ସଂକଳ୍ପକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସିକା ଚିନିଶିଳ୍ପର କୃଷକ ଭବନ ପରିସରରେ ‘ଦଶକୋଟି ନିଶାମୁକ୍ତି ପ୍ରତିଜ୍ଞା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିଶକ୍ତି ଭବନ,ଆସିକା ପକ୍ଷରୁ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତି ଚିନିଶିଳ୍ପର ସମସ୍ତ କର୍ମଚାରୀଙ୍କୁ ନିଶାମୁକ୍ତ ଜୀବନଯାପନ ପାଇଁ ଶପଥ ପାଠ କରାଇଥିଲେ। ନିଶାରୁ ଦୂରେଇ ନିଜ ପରିବାର, ସମାଜ ଓ ଦେଶର ସୁସ୍ଥ ଭବିଷ୍ୟତ ଗଠନରେ ସକାରାତ୍ମକ ଯୋଗଦାନ ଦେବା ସହିତ ବିକଶିତ ଭାରତ ଗଠନରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଛି ବୋଲି ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆସିକା ସୁଗାର ଫ୍ୟାକ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ପଣ୍ଡା ନିଶାମୁକ୍ତ ସମାଜର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ନିଶା କେବଳ ବ୍ୟକ୍ତିର ଶାରୀରିକ ଓ ମାନସିକ କ୍ଷତି କରେ ନାହିଁ, ଏହା ପରିବାର ଓ ସମାଜର ଅଗ୍ରଗତି କୁ ମଧ୍ୟ ପ୍ରଭାବିତ କରେ। ତେଣୁ ନିଶା ବିରୋଧରେ ସମସ୍ତଙ୍କ ସମିଳିତ ସଂକଳ୍ପ ଓ ସଚେତନତା ଆବଶ୍ୟକ ବୋଲି ସେ କହିଥିଲେ lକାର୍ଯ୍ୟକ୍ରମରେ ଆସିକା ସୁଗାର ଫ୍ୟାକ୍ଟ୍ରିର ବହୁ ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ନିଶାମୁକ୍ତ ଭାରତ ଗଠନ ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ।ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗାପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟ ଭଉଣୀ ଭାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (NCB) ପକ୍ଷରୁ ଆୟୋଜିତ ନିଶାମୁକ୍ତି ସଂକଳ୍ପ ଅଭିଯାନର ପ୍ରମାଣପତ୍ର ଆସିକା ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା। ଗଣେଶ ପାଣିଗ୍ରାହୀ ରିପୋର୍ଟ
