ଗଜପତି ଜିଲ୍ଲାର FPOଗୁଡ଼ିକର ସଶକ୍ତୀକରଣ ପାଇଁ ଜିଲ୍ଲାସ୍ତରୀୟ ଭର୍ଚୁଆଲ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଆର, ଉଦୟଗିରି,୨.୧୧(ମନୋଜ କୁମାର ପାଢୀ)-: ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ଅଧୀନସ୍ଥ ସେଣ୍ଟର ଅଫ୍ ଏକ୍ସିଲେନ୍ସର ମାର୍ଗଦର୍ଶନରେ ଏକ ଜିଲ୍ଲାସ୍ତରୀୟ ଭର୍ଚୁଆଲ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନଭେମ୍ବର ୨ ତାରିଖରେ ରା. ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର (KVK) ପରିସରରେ ଆୟୋଜିତ ହୋଇଯାଇଛି। ଏହାର ମୁଖ୍ୟ ଉଦେଶ୍ୟ ହେଲା ଗଜପତି ଜିଲ୍ଲାର କୃଷକ ଉତ୍ପାଦକ ସଂଗଠନ (FPO)ଗୁଡ଼ିକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ବ୍ୟବସାୟିକ ଭାବେ ସକ୍ଷମ କରିବା । “କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ବଜାର ସହିତ ଯୋଡ଼ିବା: ପଞ୍ଜୀକରଣ, ଉତ୍ପାଦ ତାଲିକାଭୁକ୍ତକରଣ, ବ୍ରାଣ୍ଡିଂ, ଗୁଣବତ୍ତା ମାନଦଣ୍ଡ ଏବଂ କ୍ରେତାଙ୍କ ସହ ଯୋଗାଯୋଗ” ଶୀର୍ଷକ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ FPOଗୁଡ଼ିକର ସାଂଗଠନିକ ଦକ୍ଷତା ବୃଦ୍ଧି, ଉତ୍ପାଦର ଉଚିତ ବଜାରୀକରଣ ଏବଂ ବ୍ୟବସାୟିକ ସୁଯୋଗ ସୃଷ୍ଟି ଉପରେ ତାଲିମ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ OUATର ସମ୍ପ୍ରସାରଣ ଶିକ୍ଷା ବିଭାଗର ଡିନ୍ ଡ. ସୁଶାନ୍ତ କୁମାର ସ୍ୱାଇଁ ଏବଂ ଯୁଗ୍ମ ନିର୍ଦ୍ଦେଶିକା (ସୂଚନା) ଡ. ସରବାଣୀ ଦାସ ଅନଲାଇନ୍ ମାଧ୍ୟମରେ ଯୋଗଦେଇ ଉପସ୍ଥିତ FPO ପ୍ରତିନିଧିମାନଙ୍କୁ ମାର୍ଗଦର୍ଶନ କରିଥିଲେ।
ଜିଲ୍ଲାର ବିଭିନ୍ନ FPOର ୨୫ ଜଣ ସଦସ୍ୟ ଏହି ପ୍ରଶିକ୍ଷଣରେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ସକ୍ରିୟ ଆଲୋଚନା କରିବା ସହ ନିଜ ନିଜ ସଂଗଠନର ସଫଳ ପରିଚାଳନା, ବଜାର ସଂଯୋଗ ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ ସମସ୍ତ FPO ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇ ଥିଲେ । କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ KVK ର ଉଦ୍ୟାନ ବୈଜ୍ଞାନିକ ଡ଼. ସୁଶ୍ରୀ ଚୌଧୁରୀ, ମୃତ୍ତିକା ବୈଜ୍ଞାନିକ ଡ଼. ଦେବାଶିଷ ଷଡ଼ଙ୍ଗୀ, ଯନ୍ତ୍ରପାତି ବୈଜ୍ଞାନିକ ଜାନୁଆରୀୟସ୍ କୁଜୁର ଏବଂ କମ୍ପ୍ୟୁଟର ପ୍ରୋଗ୍ରାମର ଶ୍ରୀ ମନୋଜ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।
