କାଶୀପୁର ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କାଶୀପୁର ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କାଶୀପୁର ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ରାୟଗଡ(info media) ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଲ୍ଏଣ୍ଡଟି (L&T) କମ୍ପାନୀର ଏକ ବୋଲେରୋ କ୍ୟାମ୍ପର ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ହିଁ ପ୍ରାଣହାନି ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତୀବ୍ର ଉତ୍ତେଜନା ମଧ୍ୟ ଦେଖାଦେଇଛି।ମିଳିଥିବା ସୂଚନା ଅନୁଯାୟୀ, ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ଡାକିଲିଗୁଡ଼ା ଗ୍ରାମର ହାରୁ ମାଝୀଙ୍କ ପୁଅ ଦିବା ମାଝୀ (୧୮) ଏବଂ ସେହି ଗାଁର ସାଲପୁ ମାଝୀ ଏକ ବାଇକରେ ଟିକିରିରୁ ମୁଣ୍ଡାଗାଁ ଦେଇ ନିଜ ଗ୍ରାମ ଡାକିଲିଗୁଡ଼ାକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏଲ୍ଏଣ୍ଡଟି କମ୍ପାନୀର ଏକ ବୋଲେରୋ କ୍ୟାମ୍ପର (ନଂ– OD-04-A-5386) ସେମାନଙ୍କ ବାଇକକୁ ସାମ୍ନାରୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଦିବା ମାଝୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ସାଲପୁଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଉଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନୀର ଗାଡ଼ି ଚାଳକମାନେ ନିୟମ ନ ମାନି ବେପରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଗ୍ରାମାଞ୍ଚଳରେ ବାରମ୍ବାର ଏଭଳି ଦୁର୍ଘଟଣାର ଆଶଙ୍କା ଦେଖାଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ସାଧାରଣ ଲୋକେ ଯାତାୟାତ କରୁଥିବାରୁ କମ୍ପାନୀ ଗାଡ଼ିଗୁଡ଼ିକ ଉପରେ କଡ଼ା ନିୟନ୍ତ୍ରଣ ଲଗାଇବା ସହ ଗତିସୀମା ନିର୍ଦ୍ଧାରଣ କରିବାକୁ ସ୍ଥାନୀୟ ବାସିନ୍ଦା ଦୃଢ଼ ଦାବି କରିଛନ୍ତି।ଅନ୍ୟପଟେ ଖବର ପାଇ ଟିକିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରାଯିବା ସହ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ପୋଲିସ ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ