କଟକ ଜିଲ୍ଲାରେ ଭୁଶୁଡ଼ିଲା ନବନିର୍ମିତ ରାସ୍ତା, ଯାତାୟାତ ବ୍ୟାହତ
କଟକ: କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ–ମଢଙ୍ଗା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତାର ବାରବାରୀ ନିକଟରେ ଥିବା ପୋଲ ସଂଲଗ୍ନ ଅଂଶ ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଥିବାରୁ ଯାତାୟାତ ବ୍ୟାହତ ହୋଇଛି।ଏହି ରାସ୍ତାଟି କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତା ସହ ସାଲେପୁରର ଶିଶୁଆ ଅଞ୍ଚଳକୁ ସଂଯୋଗ କରୁଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଏହି ପଥରେ ଯାତାୟାତ କରିଥାନ୍ତି। ଏହା ସହ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ମଧ୍ୟ ଏହି ରାସ୍ତା ଉପରେ ନିର୍ଭରଶୀଳ।ସୂଚନା ଅନୁଯାୟୀ, ୩ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ରାସ୍ତାକୁ ମାତ୍ର ଦୁଇ ମାସ ହୋଇଥିବାବେଳେ ଏହାର କିଛି ଅଂଶ ଦବିବା ସହ ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ନିମ୍ନମାନର ନିର୍ମାଣ କାର୍ଯ୍ୟ ଏବଂ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଷାଢ଼ ମାସର ପ୍ରାରମ୍ଭିକ ବର୍ଷାରେ ଏପରି ଅବସ୍ଥା ସୃଷ୍ଟି ହୋଇଛି।ଫଳରେ ସାଧାରଣ ଲୋକ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରାସ୍ତାର ତୁରନ୍ତ ମରାମତି ଏବଂ ଘଟଣାର ତଦନ୍ତ ପାଇଁ ଦାବି ଉଠିଛି।ରିପୋର୍ଟ: ଗଣେଶ ପାଣିଗ୍ରାହୀ ରିପୋର୍ଟ
