*ଅଡବା ଥାନା ପକ୍ଷରୁ ୩୯୬ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର* ।
ଗଜପତି, ୨୭.୧୦( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାରେ ନିଶା କାରବାର ବିରୋଧରେ ଅବକାରୀ ଓ ପୋଲିସ ପକ୍ଷରୁ ଲଗାତାର ଚଢ଼ାଉ ଜାରି ରହିଥିବା ବେଳେ ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଅଡବା ଥାନା ଅନ୍ତର୍ଗତ ପଣସପଦର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଅନ୍ୟ ସ୍ଥାନକୁ ଚାଲାଣ ଉଦ୍ଦେଶ୍ୟରେ ଥିବା ୩୯୬ କିଲୋଗ୍ରାମ ଗଞ୍ଜେଇ ପୋଲିସ ପକ୍ଷରୁ ଜବତ କରାଯାଇଛି। ତେବେ ଗଞ୍ଜେଇ ବସ୍ତା ସ୍ଥାନାନ୍ତର କରୁଥିବା ୪ ଜଣ ବ୍ୟକ୍ତି ପୋଲିସକୁ ଦେଖି ଘଞ୍ଚ ଜଙ୍ଗଲ ମଧ୍ୟକୁ ଖସି ପଳାଇ ଯାଇଥିବା ଜଣାପଡ଼ିଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୬ ତାରିଖ ସୋମବାର ଦିନ ପ୍ରାୟ ୧୧ଟା ସମୟରେ ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚୋରା କାରବାର ହେଉଥିବା ନେଇ ଅଡବା ପୋଲିସକୁ ଏକ ବିଶ୍ୱସନୀୟ ସୂତ୍ରରୁ ସୂଚନା ମିଳିବା ପରେ ଏସ୍ଆଇ ପ୍ରିୟମ ଦାସଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ। ଦିନ ପ୍ରାୟ ୧୨ଟା ସମୟରେ ଜଙ୍ଗଲ ମଧ୍ୟରେ ୪ ଜଣ ବ୍ୟକ୍ତି ବସ୍ତାରେ ଥିବା ଗଞ୍ଜେଇକୁ ସ୍ଥାନାନ୍ତର କରୁଥିବା ପୋଲିସ ଦେଖିଥିଲା।
ପୋଲିସକୁ ଦେଖି ଅଭିଯୁକ୍ତମାନେ ଘଞ୍ଚ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ।ପରେ ପୋଲିସ ଘଟଣାସ୍ଥଳରୁ ୨୨ ଗୋଟି ବସ୍ତାରୁ ମୋଟ ୩୯୬ କିଲୋଗ୍ରାମ ଗଞ୍ଜେଇ ଉଦ୍ଧାର କରିଥିଲା। ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ରାଜେନ୍ଦ୍ର ଭୂୟାଁ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା।ବସ୍ତା ସହିତ ଗଞ୍ଜେଇର ମୋଟ ଓଜନ ୩୯୮ କିଲୋଗ୍ରାମ ୨୦୦ ଗ୍ରାମ ହୋଇଥିବା ବେଳେ କେବଳ ଗଞ୍ଜେଇର ନିଟ୍ ଓଜନ ୩୯୬ କିଲୋଗ୍ରାମ ରହିଥିଲା। ଆଇନ ଅନୁଯାୟୀ ଗଞ୍ଜେଇକୁ ଜବତ କରି ପ୍ୟାକିଂ ଓ ସିଲ୍ କରାଯିବା ସହ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା।ପ୍ରାଥମିକ ତଦନ୍ତରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ହରୁପଦର ଗ୍ରାମର ରାଜମେଞ୍ଜୁ ମାଝୀଙ୍କ ପୁଅ ଏଲିୟା ମାଝୀ (୩୫)ଙ୍କ ନାମ ସାମ୍ନାକୁ ଆସିଛି।
ଅନ୍ୟ ୩ ଜଣଙ୍କର ପରିଚୟ ଏଯାବତ୍ ଜଣାପଡ଼ିନାହିଁ। ଏହି ଘଟଣାରେ ଏନ୍ଡିପିଏସ୍ ଆଇନ, ୧୯୮୫ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ ପ୍ରକ୍ରିୟା ଚାଲିଥିବା ବେଳେ ଗଞ୍ଜେଇର ଉତ୍ସ, ଏହା କେଉଁଠାକୁ ଚାଲାଣ ହେବାର ଥିଲା ଏବଂ ଏହି କାରବାରରେ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଅଡବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।
