କେ.ଏମ. ଭାଲିଆସାହିରେ ତୃତୀୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ*****************
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨୨/୮/୨୦୨୫ ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ. ଏମ. ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ ନିଷ୍ଠା ସମତା ମୂଳକ ଓ ସମାବେଶୀ ତାଲିମ ଶିବିର ତା ୧୮-୦୮-୨୦୨୫ ରିଖ ଠାରୁ ଆରମ୍ଭ ହୋଇ ତା ୨୨-୦୮-୨୦୨୫ ରିଖ ପର୍ଯ୍ୟନ୍ତ ପଞ୍ଚ ଦିବସ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ଆର, ଉଦୟଗିରି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ୱାବଧାନ କ୍ରମେ ଉକ୍ତ ପଞ୍ଚ ଦିବସୀୟ ନିଷ୍ଠା ତାଲିମ ଶିବିର ସଫଳତାର ସହ ସମାପନ ହୋଇଛି। ଶିବିରର ୩ୟ ପର୍ଯ୍ୟାୟର ପ୍ରଥମ ଦିବସରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳ ଉଦଘାଟନ କରିବା ସହିତ ଶିବିରର ଅନ୍ତିମ ଦିବସର ଉଦଯାପନୀ ସମାରୋହରେ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ସ୍ଵକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଗୋଷ୍ଠୀ ସାଧନ ଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାସ, ଶ୍ରୀଯୁକ୍ତ ଅଭୟ କୁମାର ଦାସ, ପଙ୍କଜ ମଲ୍ଲିକ, ସୁବାସ ଚନ୍ଦ୍ର ପାଇକରାୟ ଓ ଯୋଗେଶ୍ୱର ମନ୍ଥରା ସମ୍ବଳ ସାଧନ କର୍ମୀ ଭାବରେ ତାଲିମ ପ୍ରଦାନ କରିଥିଲେ। ତାଲିମର ୩ୟ ପର୍ଯ୍ୟାୟରେ ୪୩ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିବିଦ୍ୟାଳୟରେ ପଢୁଥିବା ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାର ବିଭିନ୍ନ ଦକ୍ଷତା ହାସଲ କରିଥିଲେ। ଯାହା ଦ୍ଵାରା ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ଶପଥ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ମାନଙ୍କର ଉଚ୍ଚକୋଟିର ପ୍ରଶିକ୍ଷଣ ଢଙ୍ଗ ସମସ୍ତଙ୍କୁ ଆକର୍ଷିତ କରିଥିଲା। ରା. ଉଦୟଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ତାଲିମ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ସକ୍ରିୟ ଭୂମିକା ଗ୍ରହଣ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ସହିତ ସଫଳ ମଧ୍ୟ କରାଇଥିଲେ। ନାଚ, ଗୀତ, ନାଟକ , ଅଭିନୟ ଏବଂ ନବରସ ଛନ୍ଦ, ଅଳଙ୍କାର ଆଦି ମାଧ୍ୟମରେ ସମ୍ୱଳ ସାଧନ କର୍ମୀ ଶ୍ରୀଯୁକ୍ତ ଅଭୟ କୁମାର ଦାସଙ୍କର ବଳିଷ୍ଠ ଶିକ୍ଷା ଦାନ ସମସ୍ତଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥିଲା।ଉକ୍ତ କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରାଯାଇଥିଲା।