ମଦ୍ୟପ ଯୁବକଙ୍କ ଉନ୍ମୋତକାଣ୍ଡ, ବସକୁ ଅଟକାଇ କରିଲେ ଗଣ୍ଡୋଗଳ, ଯାତ୍ରୀ ହନ୍ତସନ୍ତ
ଗଜପତି(ମନୋଜ ପାଢୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଜଙ୍ଗଲପାଡୁ ଗ୍ରାମ ନିକଟରେ ଜଣେ ମଦ୍ୟପ ଯୁବକ ସରକାରୀ ବସ୍ କୁ ଦୁଇ ଦୁଇ ଥର ଅଟକାଇ ଗଣ୍ଡୋଗଳ କରିଥିବାର ଜଣାପଡିଛି । ମଦପ୍ୟଙ୍କ ଏପରି ଗଣ୍ଡୋଗଳକୁ ନେଇ ବସ୍ ଟି ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଥିଲା । ବସ୍ କର୍ମଚାରୀ ଓ ଯାତ୍ରୀମାନଙ୍କ ଠାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ଠାରୁ ରମ୍ପା ଯାଉଥିବା ସରକାରୀ ବସ୍ କୁ ଜଙ୍ଗଲପାଡୁ ଗ୍ରାମର ୱାଇ. କାର୍ତ୍ତିକ ନାମକ ଜଣେ ଯୁବକ ମଦ୍ୟପାନ କରି ପ୍ରଥମେ ଜଙ୍ଗଲପାଡୁ ଗ୍ରାମ ନିକଟସ୍ଥ ଠାକୁରାଣି ମନ୍ଦିର ନିକଟରେ ବସ୍ କୁ ଅଟକାଇ ହୋହାଲ୍ଲା କରିଥିଲା । ବସ୍ କର୍ମଚାରୀ ଓ ଯାତ୍ରୀମାନେ କାର୍ତ୍ତିକଙ୍କ ଏପରି ହୋହାଲ୍ଲାକୁ କିଛି ବୁଝି ନପାରି କଣ ହୋଇଛି ବୋଲି ଭୟଭୀତ ହୋଇପଡିଥିଲେ । ଏହାପରେ ବସ୍ ଟି ଜଙ୍ଗଲପାଡୁ ଗ୍ରାମର ମୁଖ୍ୟଛକ ଠାରେ ପହଞ୍ଚିବା ପରେ ପୁଣି ବସ୍ କୁ ଅଟକାଇ ଗାଳିଗୁଲଜ କରି ଗଣ୍ଡୋଗଳ କରିଥିଲେ । ଫଳରେ ବସ୍ କର୍ମଚାରୀଙ୍କ ସମେତ ବସ୍ ରେ ବସିଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡିଥିଲେ । ଏହାପରେ ଗୁରାଣ୍ଡି ପୋଲିସ୍ କୁ ଖବର ଦିଆଯାଇଥିଲା । ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳରେ ଗୁରାଣ୍ଡି ଥାନା ଏଏସ୍ଆଇ ରଞ୍ଜନ କୁମାର ଚୌଧୁରୀ, ହାବିଲଦାର ଗୋପୀନାଥ ଜେନା ସଦଳବଳେ ପହଞ୍ଚି ମଦ୍ୟପ ଯୁବକକୁ କାବୁ କରି ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛନ୍ତି । ଅନ୍ୟପକ୍ଷରେ ଜଣେ ମହିଳା ଯାତ୍ରୀ କହିଛନ୍ତି ଯେ ଜଙ୍ଗଲପାଡୁ ଗ୍ରାମର ମୁଖ୍ୟଛକ ନିକଟରେ ସେ ସରକାରୀବସ୍ କୁ ଅପେକ୍ଷା କରିଥିବା ସମୟରେ କାର୍ତ୍ତିକ ସ୍କୁଟିରେ ଆସି ତାଙ୍କୁ 5ଟଙ୍କିଆ ବସ୍ ରେ ଯାଅନାହିଁ ବୋଲି ଠେଲିଦେଇଥିବାର ପ୍ରକାଶ କରିଛନ୍ତି । ସେହିପରି ଅନ୍ୟଜଣେ ଯାତ୍ରୀ କହିଛନ୍ତି ଯେ ବସ୍ ଚାଲୁଥିବା ସମୟରେ ଜଙ୍ଗଲପାଡୁ ଗ୍ରାମ ପୂର୍ବରୁ ଥିବା ଠାକୁରାଣୀ ମନ୍ଦିର ନିକଟରେ ଦୁଇରୁ ଚାରି ଯୁବକ ଆସି ଅଟକାଇ ବସକର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ ମୁଖ୍ୟଛକ ଠାରେ ପୁଣିଥରେ ଅଟକାଇ ହୋହାଲ୍ଲା କରିଥିଲେ । ଆମ୍ଭେ ମେଡିକାଲକୁ ଯାଇ ଆସୁଥିଲୁ । ସାଥିରେ ଅସୁସ୍ଥ ଛୁଆଟି ରହିଛି, ତମେ ବସ୍ କୁ ଅଟକାଅ ନାହିଁ ବୋଲି କହିଥିଲେ ମଧ୍ୟ ସେ ଜବରଦସ୍ତି ଅଟକାଇ ଗଣ୍ଡୋଗଳ କରୁଥିଲା ବୋଲି କହିଛନ୍ତି । ଏନେଇ ବସ୍ କର୍ମଚାରୀ କହିଛନ୍ତି ଯେ ସେ ଯୁବକ ଜଣକ ଗତ 15 ଦିନ ପୂର୍ବେ ମଧ୍ୟ ହର୍ନ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲା । ତେବେ ଆଜି ବିନା କାରଣରେ ଆସି ଦୁଇ ଦୁଇ ଥର ବସକୁ ଅଟକାଇ ଗାଳିଗୁଲଜ କରିଥିବାର ପ୍ରକାଶ କରିଛନ୍ତି । କାର୍ତ୍ତିକ ବିନା କାରଣରେ ଦୁଇ ଦୁଇଥର ଟାର୍ଗେଟ କରି ଗଣ୍ଡୋଗୋଳ କରିଥିବାରୁ ଆମ୍ଭଙ୍କୁ ଏହି ରୁଟ୍ ରେ ବସ୍ ଚଳାଚଳ କରିବାକୁ ଭୟ ଲାଗୁଛି ବୋଲି ମଧ୍ୟ ଜଣାଇଛନ୍ତି । ଏହି ଘଟଣାକୁ ନେଇ ଗୁରାଣ୍ଡି ଥାନାରେ ଡ୍ରିଙ୍କ୍ ଆଣ୍ଡ୍ ଡ୍ରାଇଭ୍ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
