ଜିଲ୍ଲା ଅବକାରୀ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ଅବକାରୀ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି, ୨୭/|୦୬ (ମନୋଜ ପାଢୀ) ମଦ୍ୟପାନ କରି ଗାଡ଼ି ଚାଳନାରୁ ବିରତ ରହିବା ସହ ସଡ଼କ ସୁରକ୍ଷା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ସୁଚିନ୍ତିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଅବକାରୀ ଅଧିକାରୀ ଶ୍ରୀ ଧିମାନ୍ ପ୍ରଦୀପ ସାହୁ ନିଜେ ଉପସ୍ଥିତ ରହି ବିନା ଶିରସ୍ତ୍ରାଣରେ ଦ୍ୱିଚକ୍ରୀ ଯାନରେ ଆସୁଥିବା ବ୍ୟକ୍ତିମାନଙ୍କୁ ଶିରସ୍ତ୍ରାଣ ପ୍ରଦାନ କରି ସୁରକ୍ଷିତ ଯାତାୟତର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ମଦ୍ୟପାନ ଦ୍ୱାରା ସୃଷ୍ଟ ସଡ଼କ ଦୁର୍ଘଟଣାର ଭୟାବହତା ଉପରେ ଆଲୋଚନା କରି ଶ୍ରୀ ସାହୁ କହିଥିଲେ ଯେ, ରାଜ୍ୟ ସରକାର ଏହି ମାରାତ୍ମକ ଅଭ୍ୟାସକୁ ନିରୋଧ କରିବା ପାଇଁ କଠୋର ଆଇନ୍ ପ୍ରୟୋଗ ସହ ଜନସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି। ସଂଯମତା ପରୀକ୍ଷା ଏବଂ ଆଇନର କଡ଼ାକଡ଼ି ପାଳନ ମାଧ୍ୟମରେ ସଡ଼କ ଦୁର୍ଘଟଣା ହ୍ରାସ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ସରକାରୀ ସଂସ୍ଥା, ଆଇନ ପ୍ରବର୍ତ୍ତନ ଅଧିକାରୀ ଏବଂ ସାମାଜିକ ସଂଗଠନମାନଙ୍କ ମଧ୍ୟରେ ସହଯୋଗ ମାଧ୍ୟମରେ ସୁରକ୍ଷିତ ସଡ଼କ ସଂସ୍କୃତି ଗଢ଼ି ତୋଳିବାକୁ ପଦକ୍ଷେପ ନିଆଯାଇଛି।ଏହାସହ, ମେ ୩୧ରୁ ବିଶ୍ୱ ତମାଖୁ ବର୍ଜନ ଦିବସଠାରୁ ଆରମ୍ଭ ହୋଇ ଜୁନ୍ ୨୬ରେ ଆନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ୍ ନିଶା କାରବାର ନିରୋଧ ଦିବସ ପର୍ଯ୍ୟନ୍ତ ଏକ ବ୍ୟାପକ ଜନସଚେତନତା ଅଭିଯାନ ଚାଲିଛି। ଏହି ଅଭିଯାନର ମୁଖ୍ୟ ସଂକଳ୍ପ ହେଉଛି “ନିଶା ନୁହେଁ, ଜୀବନ”। ଶ୍ରୀ ସାହୁ ଆହୁରି ମଧ୍ୟ କହିଥିଲେ ଯେ, ବେଆଇନ୍ ମଦ ଓ ଗଞ୍ଜେଇ କାରବାରକୁ ନିର୍ମୂଳ କରି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଆଧାର କରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ନିଶା ନିରୋଧ ଓ ସଡ଼କ ସୁରକ୍ଷା ପ୍ରତି ଏକ ନୂତନ ଚେତନା ସୃଷ୍ଟି କରିବାରେ ସଫଳ ହୋଇଛି ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *