*ଭକ୍ତି, ଶୃଙ୍ଖଳା ଓ ସେବା ମନୋଭାବରେ ପାଳିତ ହେଲା ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ* ।
ଗଜପତି,୨୪.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରସ୍ଥିତ ସତ୍ୟସାଇ ବିଦ୍ୟାମନ୍ଦିର ପରିସରରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ ଭକ୍ତି, ଶ୍ରଦ୍ଧା, ଶୃଙ୍ଖଳା ଓ ଆଧ୍ୟାତ୍ମିକ ଭାବାବେଗ ମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ ତିରୁପତି ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏବଂ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସତ୍ୟସାଇ ସେବା ସଂଗଠନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର ଉଦ୍ୟମ ବେଶ୍ ପ୍ରଶଂସନୀୟ ଥିଲା।
ଜିଲ୍ଲା ସଭାପତି ଟି. ଦେବଦାସ, ଜିଲ୍ଲା ଯୁବ ସଂଯୋଜକ ଅନୁମାନ ପାଢ଼ୀ, ଭଜନ ଦାୟିତ୍ୱରେ ସାଇ ପାଣିଗ୍ରାହୀ, ଆଧ୍ୟାତ୍ମିକ ଦାୟିତ୍ୱରେ ରାଜେଶ୍ୱର ରାଓ, ଏସ୍ଆର୍ପି ନର୍ସିଂ ପଣ୍ଡା ଏବଂ ସେବାଦଳ ସଂଯୋଜକ ସୁଦର୍ଶନ ମହାରଣା ପ୍ରମୁଖ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ।ସେହିପରି ଭକ୍ତ ଓ ସେବାଦଳ ମଧ୍ୟରେ ସମନ୍ୱୟ ରକ୍ଷା କ୍ଷେତ୍ରରେ ପି.ସି. ପାତ୍ର, ରବି, ମନ୍ମଥ, ଅଶୋକ ଚୌଧୁରୀ ଓ ଏମ୍. ପ୍ରବୀଣ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଅନ୍ୟାନ୍ୟ ଭକ୍ତ ଓ ସ୍ୱେଚ୍ଛାସେବୀଙ୍କ ସାମୂହିକ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ପ୍ରେମ, ସେବା, ତ୍ୟାଗ, ମାନବିକତା ଓ ଆଧ୍ୟାତ୍ମିକତାର ଆଦର୍ଶକୁ ଜୀବନରେ ପ୍ରତିଫଳିତ କରିବା ହିଁ ଜନ୍ମୋତ୍ସବ ପାଳନର ମୂଳ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।ପରିଶେଷରେ ଭକ୍ତ ଓ ସେବାଦଳର ସାମୂହିକ ସହଯୋଗ, ନିଷ୍ଠା ଓ ସେବା ମନୋଭାବ ଯୋଗୁଁ ଉତ୍ସବଟି ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ସଫଳତାର ସହ ସମାପନ ହୋଇଥିଲା।
