*ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଉଭୟ ୧୪ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ଦଳ ଚାମ୍ପିୟନ*।
ଗଜପତି,୨୪.୧୧ (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଉଭୟ ୧୪ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ଦଳ ଚାମ୍ପିୟନ ହୋଇ ଗଜପତି ଜିଲ୍ଲା ପାଇଁ ଐତିହାସିକ ସଫଳତା ହାସଲ କରିଛନ୍ତି। ଉଭୟ ବିଭାଗରେ ଏହି ସଫଳତା ଜିଲ୍ଲାର କ୍ରୀଡ଼ା ଇତିହାସରେ ଏକ ସ୍ମରଣୀୟ ଘଟଣା ହୋଇ ରହିବ।ପ୍ରତିଯୋଗିତାରେ ଗଜପତିର ଉଭୟ ଦଳ ନିଜର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ, ଅଦମ୍ୟ ସାହସ, ଦଳଗତ ଏକତା, ଶୃଙ୍ଖଳା ଓ ଦୃଢ଼ ମନୋବଳ ବଳରେ ପ୍ରତିପକ୍ଷ ଦଳଗୁଡ଼ିକୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ଏହି ବିଜୟ ଫଳରେ ଜିଲ୍ଲାର ଉଦୀୟମାନ ଖେଳାଳିମାନେ ରାଜ୍ୟସ୍ତରରେ ନିଜର କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଛନ୍ତି।ଏହି ଗୌରବମୟ ସଫଳତା ପାଇଁ ବିଜୟୀ ବାଳକ ଓ ବାଳିକା ଦଳର ସମସ୍ତ ଖେଳାଳିଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ଏଥିସହ ଦଳର ମ୍ୟାନେଜର ଓ ପ୍ରଶିକ୍ଷକମାନଙ୍କ ନିଷ୍ଠାପର ଉଦ୍ୟମ, କଠିନ ପରିଶ୍ରମ ଓ ଉପଯୁକ୍ତ ମାର୍ଗଦର୍ଶନକୁ ମଧ୍ୟ ପ୍ରଶଂସା କରାଯାଇଛି।
ଏହି ସଫଳତା ପଛରେ ଜିଲ୍ଲାର ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ସହଯୋଗ, ପ୍ରେରଣା ଓ ଉଲ୍ଲେଖନୀୟ ଅବଦାନ ରହିଛି।ଗଜପତି ଜିଲ୍ଲାର ଉଭୟ ଦଳର ଏହି ଯୁଗଳ ବିଜୟ କେବଳ ଖେଳାଳିଙ୍କ ସଫଳତା ନୁହେଁ, ବରଂ ସମଗ୍ର ଜିଲ୍ଲାର କ୍ରୀଡ଼ା ଓ ଶିକ୍ଷା ପରିବାର ପାଇଁ ଏକ ଗର୍ବର ବିଷୟ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ଏହି ସଫଳତା ଜିଲ୍ଲାର ଅନ୍ୟ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ମଧ୍ୟ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ଆଗେଇବାକୁ ପ୍ରେରଣା ଯୋଗାଇବ।ଗଜପତିର ସୁନା ପୁଅ ଓ ସୁନା ଝିଅମାନଙ୍କ ଏହି ଐତିହାସିକ ବିଜୟ ପାଇଁ ସମଗ୍ର ଜିଲ୍ଲାରେ ଆନନ୍ଦ ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।
