*ଦର୍ଶକଙ୍କ ମନ ମୋହିଲା ପାରଳା କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଭଜନ ସମାରୋହ* ।
ଗଜପତି,୨୪.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳା କଳା ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଏକ ଭବ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଭଜନ ସମାରୋହରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏବଂ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଆଧ୍ୟାତ୍ମିକ ତଥା ସାଂସ୍କୃତିକ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ସୁମଧୁର ଭଜନ ଶ୍ରୋତା ଓ ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା। ଭଜନ ସମାରୋହରେ ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ କୁମାର ବାପି, ବାଙ୍କ ଚାହାଣି ପ୍ରେମ, ନରେନ୍ଦ୍ର କୁମାର, ଲିନା ପ୍ରଧାନ ଓ ପଞ୍ଚାରୀ ଦାସ ପ୍ରମୁଖ ନିଜ ନିଜର ଆକର୍ଷଣୀୟ ଭଜନ ପରିବେଷଣ କରି ଦର୍ଶକଙ୍କର ମନ ମୋହିଥିଲେ।ସେମାନଙ୍କ ମନଛୁଆଁ ସଙ୍ଗୀତ ଓ ଭକ୍ତିରସପୂର୍ଣ୍ଣ ପରିବେଷଣରେ ସମଗ୍ର ପରିସର ଭକ୍ତିମୟ ହୋଇ ଯାଇଥିଲା। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ସଙ୍ଗୀତ ପ୍ରେମୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ।
ଏହି ଅବସରରେ ପାରଳାର ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମାଜ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା।ପାରଳା ସହରର କଳା, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାକୁ ଉଜ୍ଜୀବିତ କରିବା ସହ ସଙ୍ଗୀତ ମାଧ୍ୟମରେ ଭକ୍ତି ଓ ଆନନ୍ଦର ବାର୍ତ୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଏହି ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ପାରଳା କଳା ସଂସ୍କୃତି ଟ୍ରଷ୍ଟର ଏଭଳି ଉଦ୍ୟମକୁ ସହରବାସୀ ଓ ସଙ୍ଗୀତପ୍ରେମୀ ସ୍ବାଗତ ଜଣାଇଛନ୍ତି।
