*ବାଣ ଦୋକାନ ଲାଇସେନ୍ସକୁ ନେଇ ଆପତ୍ତି, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି*
ଗଜପତି,୩.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଗଜପତି ଜିଲ୍ଲାରେ ବାଣ ଓ ଆତସବାଜି ବିକ୍ରି ପାଇଁ ପ୍ରଦାନ କରାଯାଇଥିବା ଅସ୍ଥାୟୀ ଓ ସ୍ଥାୟୀ ଲାଇସେନ୍ସକୁ ନେଇ ଅଖିଳ ଭାରତ ଫରୱାର୍ଡ ବ୍ଲକ୍ର ଜିଲ୍ଲା କମିଟି ଆପତ୍ତି ଉଠାଇଛି। ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପାଇଲା ମୁରଲୀ କୃଷ୍ଣା ନଭେମ୍ବର ୨ ତାରିଖରେ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ଦେଇ ଲାଇସେନ୍ସଗୁଡ଼ିକର ପୁନଃସମୀକ୍ଷା ଓ ସୁରକ୍ଷା ନିୟମ କଡ଼ାକଡ଼ି କରିବାକୁ ଦାବି କରିଛନ୍ତି।ଅଭିଯୋଗ ଅନୁଯାୟୀ, ଜିଲ୍ଲାରେ ପ୍ରାୟ ୭୫ ଜଣଙ୍କୁ ବାଣ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ମିଳିଥିବାବେଳେ କେତେକ ଦୋକାନରେ ଅଗ୍ନିନିର୍ବାପକ ବ୍ୟବସ୍ଥାର ଅଭାବ, ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ବାଣ ମହଜୁଦ ଏବଂ ଜନବହୁଳ ଅଞ୍ଚଳରେ ବିକ୍ରି ହେଉଥିବା ଅଭିଯୋଗ ରହିଛି। ପାରଳାଖେମୁଣ୍ଡିର ପାରଳାଖାସ୍ପା, ରେଲି ସାହି ଓ ଢାମୁଣିଗାଁ ଅଞ୍ଚଳକୁ ନେଇ ମଧ୍ୟ ଦଳ ଆପତ୍ତି ଉଠାଇଛି।ଏଥିସହ ଶିଶୁ ଶ୍ରମିକ ନିୟୋଜନ, ସାଧାରଣ ଯାନବାହନରେ ବାଣ ପରିବହନ ଏବଂ ବିକ୍ରି ସମୟରେ ଜିଏସ୍ଟି ନିୟମ ଉଲ୍ଲଂଘନ ଭଳି ଅଭିଯୋଗ ମଧ୍ୟ କରାଯାଇଛି।ଆନ୍ଧ୍ରପ୍ରଦେଶ ସୀମାନ୍ତରେ ବାଣ ଚାଲାଣ ରୋକିବା ପାଇଁ ନିୟମିତ ଯାଞ୍ଚ ଦାବି କରାଯାଇଛି।ବିସ୍ଫୋରକ ନିୟମାବଳୀ- ୨୦୦୮ର ଧାରା ୮୪ ଅନୁଯାୟୀ ଅସ୍ଥାୟୀ ବାଣ ଦୋକାନ ମଧ୍ୟରେ ଅତିକମ୍ରେ ୩ ମିଟର ଦୂରତା ଏବଂ ସୁରକ୍ଷିତ ସ୍ଥାନଠାରୁ ୫୦ ମିଟର ଦୂରତା ସହ ଅନ୍ୟାନ୍ୟ ଅଗ୍ନିସୁରକ୍ଷା ନିୟମ ପାଳନ କରିବା ଆବଶ୍ୟକ ବୋଲି ଦର୍ଶାଇଛି।ତେଣୁ ସମସ୍ତ ଲାଇସେନ୍ସର ସ୍ଥଳଭିତ୍ତିକ ଯାଞ୍ଚ, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଏବଂ ଜନବସତିଠାରୁ ଦୂରରେ ସୁରକ୍ଷିତ ସ୍ଥାନରେ ବାଣ ବିକ୍ରି କେନ୍ଦ୍ର ସ୍ଥାପନ ପାଇଁ ଫରୱାର୍ଡ ବ୍ଲକ୍ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏହି ଅଭିଯୋଗପତ୍ରର ନକଲ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଜପତି ଏସ୍ପି ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ପଠାଯାଇଥିବା ଜଣାପଡିଛି।
