ଆଦିବାସୀ ଶିକ୍ଷାର ବିକାଶ ଦିଗରେ ନୂଆ ପଦକ୍ଷେପ, ରାୟଗଡ଼ ଜିଲ୍ଲା ପାଇଁ ୧୭୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଆଦିବାସୀ ଶିକ୍ଷାର ବିକାଶ ଦିଗରେ ନୂଆ ପଦକ୍ଷେପ, ରାୟଗଡ଼ ଜିଲ୍ଲା ପାଇଁ ୧୭୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ଆଦିବାସୀ ଶିକ୍ଷାର ବିକାଶ ଦିଗରେ ନୂଆ ପଦକ୍ଷେପ, ରାୟଗଡ଼ ଜିଲ୍ଲା ପାଇଁ ୧୭୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ

ରାୟଗଡ଼ ( info media)ରାୟଗଡ଼ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ମଙ୍ଗଳ ବିଭାଗ ଅଧୀନରେ ରାୟଗଡ଼ ଜିଲ୍ଲା ପାଇଁ ମୋଟ ୧୭୩ ଜଣ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ୧୪୭ ଜଣ ସେବକ-ସେବିକା ଏବଂ ୨୬ ଜଣ ଭାଷାଭିତ୍ତିକ ଶିକ୍ଷକ ରହିଛନ୍ତି।ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାୟଗଡ଼ ଜିଲ୍ଲାର ୭୦ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଅବଶିଷ୍ଟ ୧୦୩ ଜଣଙ୍କୁ ରାୟଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ନୂତନ ସଭାଗୃହରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।ଏହି ଅବସରରେ ନବନିଯୁକ୍ତମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ପରିଚାଳନା କରିଥିବା ବେଳେ ସହକାରୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ମଙ୍ଗଳ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।ସମାରୋହରେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ କହିଥିଲେ, “ଶିକ୍ଷକତା କେବଳ ଏକ ଚାକିରି ନୁହେଁ, ଏହା ଏକ ମହତ୍ ସାମାଜିକ ସେବା। ବିଶେଷକରି ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ପ୍ରଥମ ପିଢ଼ିର ଶିକ୍ଷାର୍ଥୀଙ୍କ ଜୀବନରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।”ଅସ୍ୱଚ୍ଛତା, ସ୍ୱାସ୍ଥ୍ୟ ସମସ୍ୟା, ମଦ୍ୟପାନ, ପୁଷ୍ଟିହୀନତା ଓ ଅନ୍ଧବିଶ୍ୱାସ ଭଳି ସାମାଜିକ ସମସ୍ୟାର ମୂଳୋତ୍ପାଟନ ପାଇଁ ଶିଶୁ ଓ କିଶୋରମାନଙ୍କୁ ଉପଯୁକ୍ତ ଶିକ୍ଷା, ନୈତିକ ମୂଲ୍ୟବୋଧ ଓ ସଠିକ୍ ମାର୍ଗଦର୍ଶନ ଦେବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ କେବଳ ପାଠ୍ୟପୁସ୍ତକ ଜ୍ଞାନ ନ ଦେଇ ଶୃଙ୍ଖଳା, ସାହସ, ଆତ୍ମବିଶ୍ୱାସ ଓ ଠିକ୍-ଭୁଲ୍ ଚିହ୍ନିବାର କ୍ଷମତା ବିକଶିତ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।ଏହି ନିଯୁକ୍ତି ଦ୍ୱାରା ମଙ୍ଗଳ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ଏବଂ ଆଦିବାସୀ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରେ ଉପକୃତ ହେବେ ବୋଲି ଆଶା ପ୍ରକାଶ କରାଯାଇଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ