*ଶିଙ୍ଗିପୁର ଗ୍ରାମରେ ବେଆଇନ ଦେଶୀ ମଦ ରନ୍ଧା ଆଡ଼୍ଡାରେ ଚଢ଼ାଉ, ବିପୁଳ ପରିମାଣର ପୋଚ ଜବତ ।
ଆର, ଉଦୟଗିରି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମ ପଞ୍ଚାୟତର ସିଙ୍ଗିପୁର ଗ୍ରାମରେ ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଉପରେ ପୋଲିସ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧୫ଟି ବେଆଇନ ଦେଶୀ ମଦ ରନ୍ଧା ସ୍ଥାନ ଠାବ କରାଯିବା ସହ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଛି।ପୋଲିସ ସୂତ୍ରରୁ ପ୍ରକାଶ ଯେ, ସିଙ୍ଗିପୁର ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଗଜପତି ଏସ୍ପି ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ଅକ୍ଟୋବର ୨୫ ତାରିଖ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଚାଲିଥିଲା।ପାରଳାଖେମୁଣ୍ଡି ଏସ୍ଡିପିଓ ଶ୍ରୀ ମାଧବାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଏସ୍ଆଇ ପ୍ରିୟବ୍ରତ ସ୍ୱାଇଁ, ଏସ୍ଆଇ ପି. ଜଗରଙ୍ଗା, କେ. ସୀତାପୁର ରାଜସ୍ୱ ନିରୀକ୍ଷକ, ଏକ ସେକ୍ସନ୍ ଏପିଆର୍ ଫୋର୍ସ ଏବଂ ଥାନାର ଅନ୍ୟ ପୋଲିସ କର୍ମଚାରୀ ଏହି ଅଭିଯାନରେ ସାମିଲ ହୋଇଥିଲେ।ଚଢ଼ାଉ ସମୟରେ ୧୫ଟି ମଦ ରନ୍ଧା ସ୍ଥାନରୁ ପ୍ରାୟ ୮୭୫ କିଲୋଗ୍ରାମ ମହୁଲ ପୋଚ (୩୫ ବସ୍ତା), ୧୦୦ ଲିଟର ପ୍ରସ୍ତୁତ ଦେଶୀ ମଦ, ଦୁଇଟି ଆଲୁମିନିୟମ ବାସନ, ପାଞ୍ଚଟି ମାଟି ହାଣ୍ଡି ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଠାବ କରାଯାଇଥିଲା।ଆବଶ୍ୟକ ନମୁନା ସଂଗ୍ରହ ଓ ଆଇନଗତ ପ୍ରକ୍ରିୟା ପରେ ବିପୁଳ ପରିମାଣର ମହୁଲ ପୋଚକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।ପୋଲିସର ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଏହି ମଦ ପ୍ରସ୍ତୁତ କରାଯାଉଥିବାରୁ ଏହା ଅପମିଶ୍ରିତ ଓ ବିଷାକ୍ତ ହେବାର ଆଶଙ୍କା ରହିଛି। ଏପରି ମଦ ସେବନ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରିପାରେ।ଏହି ଘଟଣାରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କେସ୍ ନମ୍ବର ୪୩୨/୨୦୨୬, ତାରିଖ ୨୫.୧୦.୨୦୨୬ ଅନୁଯାୟୀ ବିଏନ୍ଏସ୍ର ଧାରା ୨୭୪/୨୭୫/୧୧୨(୨) ଏବଂ ଓଡ଼ିଶା ଅବକାରୀ ଆଇନର ଧାରା ୫୨(କ)/୫୫ ଅନୁସାରେ ୧୫ ଜଣ ନାମିତ ଅଭିଯୁକ୍ତ ଓ ଅନ୍ୟ ଅଜଣା ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଅଭିଯୁକ୍ତମାନଙ୍କୁ ଠାବ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବେଆଇନ ତଥା ଅପମିଶ୍ରିତ ମଦ ପ୍ରସ୍ତୁତି ଓ ବିକ୍ରି ବିରୋଧରେ ଗଜପତି ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆଦର୍ଶ ଥାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
